୨୦୦୨ ଗୁଜରାଟ ଦଙ୍ଗା: ମାୟା କୋଦ୍‌ନାନି ଦୋଷମୁକ୍ତ

ଅହମ୍ମଦାବାଦ: ୨୦୦୨ ନରୋଦା-ପଟିୟା ଦଙ୍ଗା ମାମଲାରେ ଆଜି ଗୁଜରାଟ ପୂର୍ବତନ ବିଜେପି ମନ୍ତ୍ରୀ ମାୟା କୋଦ୍‌ନାନି ଦୋଷମୁକ୍ତ ହୋଇଛନ୍ତି। ଗୁଜରାଟ ହାଇକୋର୍ଟ ଆଜି କୋଦନାନିଙ୍କ ସମେତ ସମୁଦାୟ ୧୭ ଜଣଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିବା ବେଳେ ବଜରଙ୍ଗ ଦଳ ନେତା ବାବୁ ବଜରଙ୍ଗୀଙ୍କ ସହ ସମୁଦାୟ ୧୨ ଜଣଙ୍କ ଦଣ୍ଡବିଧାନକୁ କାଏମ ରଖିଛନ୍ତି। ୨୦୦୨ ନରୋଦା ପଟିୟା ଦଙ୍ଗାରେ ସମୁଦାୟ ୯୭ ଜଣ ପ୍ରାଣ ହରାଇଥିଲେ। ତେବେ ଏହି ମାମଲାରେ ଥିବା ୧୧ ଜଣ ସାକ୍ଷୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ମାୟାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ନ ରଖିପାରିବାରୁ କୋର୍ଟ ଆଜି ତାଙ୍କୁ ଦୋଷମୁକ୍ତ କରିଛନ୍ତି। ଅନ୍ୟପକ୍ଷରେ କୋର୍ଟଙ୍କ ରାୟରେ ଆଜି ବଜରଙ୍ଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବଜରଙ୍ଗୀଙ୍କ ଆଜୀବନ କାରାଦଣ୍ଡକୁ କୋର୍ଟ ୨୧ ବର୍ଷକୁ କମାଇ ଦେଇଛନ୍ତି। ୨୦୧୨ ମସିହାରେ ଏସ୍‌ଆଇଟି କୋର୍ଟ ଦ୍ୱାରା ଦୋଷମୁକ୍ତ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ୩ ଜଣ ଉମେଶ ଭରଓ୍ଵାଡ଼, ପିଜେ ରାଜପୁତ ଏବଂ ଆଇନଜୀବୀ ରାଜକୁମାର ଚୌମଲଙ୍କୁ ହାଇକୋର୍ଟ ଆଜି ଦୋଷୀସାବ୍ୟସ୍ତ କରିଛନ୍ତି। ଆସନ୍ତା ମେ’ ୯ ତାରିଖରେ ହାଇକୋର୍ଟ ସେମାନଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ। ତେବେ ବଜରଙ୍ଗୀଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ପ୍ରକାଶ ରାଥୋଡ଼ ଏବଂ ସୁରେଶ ଓରଫ ରିଚାର୍ଡ ଦିଦାଓ୍ଵାଲା ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୨ ମସିହାରେ ଏକ ସ୍ୱତନ୍ତ୍ର କୋର୍ଟ ବିଚାରପତି ଜେ. ୟାଗନିକ୍‌ ଏହି ମାମଲାରେ ପୂର୍ବତନ ଗୁଜରାଟ ମନ୍ତ୍ରୀ ମାୟା କୋଦନାନି ଏବଂ ବଜରଙ୍ଗୀଙ୍କ ସହ ସମୁଦାୟ ୩୨ ଜଣଙ୍କୁ ଦଣ୍ଡବିଧାନ କରିଥିଲେ ଏବଂ ୨୯ ଜଣଙ୍କୁ ଦୋଷମୁକ୍ତ କରିଥିଲେ। କୋଦନାନିଙ୍କୁ କୋର୍ଟ ୨୮ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ବଜରଙ୍ଗୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ୧୦ ଜଣଙ୍କୁ ୩୧ ବର୍ଷ ଜେଲ୍‌ଦଣ୍ଡ ହୋଇଥିବାବେଳେ ଅନ୍ୟମାନଙ୍କୁ ୨୪ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ଏହି ୩୨ ଦୋଷୀସାବ୍ୟସ୍ତଙ୍କ ମଧ୍ୟରୁ ଗୁଜରାଟ ହାଇକୋର୍ଟ ଆଜି କୋଦନାନି ଏବଂ ପୂର୍ବତନ ବିଜେପି ବିଧାୟକଙ୍କ ସମେତ ସମୁଦାୟ ୧୭ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଗୁଜରାଟ ହାଇକୋର୍ଟଙ୍କ ଖଣ୍ଡପୀଠ ଗତ ୮ ମାସ ହେବ ଏହି ମାମଲାରେ ବିଭିନ୍ନ ପକ୍ଷର ଶୁଣାଣି କରିଥିଲେ। ୨୦୧୬, ଡିସେମ୍ବର ୧୯ରେ ମାମଲାରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଗତବର୍ଷ ଅଗଷ୍ଟରେ ବିଚାରପ୍ରକ୍ରିୟା ଶେଷ ହୋଇଥିଲା।

ପରିବାରକୁ ମାରିଛି କିଏ?
ଅହମ୍ମଦାବାଦ: ନରୋଦା ପଟିୟା ନରସଂହାର ମାମଲାରେ ଗୁଜରାଟ ପୂର୍ବତନ ମନ୍ତ୍ରୀ ମାୟା କୋଦ୍‌ନାନି ଦୋଷମୁକ୍ତ ହେବା ପରେ ଏହାକୁ ନେଇ ପୀଡ଼ିତା ପରିବାର କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଯଦି ମାୟା କୋଦ୍‌ନାନି ଏହି ହତ୍ୟା କରି ନାହାନ୍ତି ତେବେ ଆମ ପରିବାର ସଦସ୍ୟଙ୍କୁ କିଏ ମାରିଛି ତାହା କୋର୍ଟ ସ୍ପଷ୍ଟ କରନ୍ତୁ। ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭରୁ ବିବାଦୀୟ ଥିଲା ଏବଂ ଏଥିରେ ପୀଡ଼ିତ ପକ୍ଷଙ୍କ ଯୁକ୍ତି ଓ ପ୍ରମାଣକୁ ବିଶେଷ ଗୁରୁତ୍ୱ ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ଦଙ୍ଗା ସମୟରେ ମାୟା କୋଦ୍‌ନାନିଙ୍କ ଉପସ୍ଥିତି ନେଇ ୧୧ ଜଣ ପ୍ରତ୍ୟକ୍ଷଦର୍ଶୀ କୋର୍ଟରେ ବୟାନ୍‌ ଦେଇଥିବା ବେଳେ ପୁଲିସ୍‌ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମାୟାଙ୍କ ଉପସ୍ଥିତିକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର