୨୦୨୧: ପୁଲିସ ହାଜତରେ ୧୫୧ ଜଣ ମରିଛନ୍ତି

ନୂଆଦିଲ୍ଲୀ: ସଂସଦରେ ବିଜେପି ସଦସ୍ୟ ବରୁଣ ଗାନ୍ଧିଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ପୁଲିସ ହାଜତରେ ୧୫୧ ଜଣଙ୍କ ମୃତ୍ୟୁ ଘଟିଛି। ବରୁଣ ଗାନ୍ଧି ରାଜ୍ୟଭିତ୍ତିକ ହାଜତ ମୃତ୍ୟୁର ତାଲିକା ମାଗିଥିଲେ। ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମାନବାଧିକାର ଆୟୋଗର (ଏନ୍‌ଏଚ୍‌ଆର୍‌ସି)ର ତଥ୍ୟ ଉପସ୍ଥାପନ କରି କୁହାଯାଇଥିଲା ଯେ, ସବୁଠାରୁ ଅଧିକ ୨୬ ଜଣଙ୍କ ହାଜତ ମୃତ୍ୟୁ ଘଟିଛି ମହାରାଷ୍ଟ୍ରରେ। ଅନ୍ତତଃ ୧୩ଟି ରାଜ୍ୟ ସେମାନଙ୍କ ହାଜତ ମୃତ୍ୟୁର ତଥ୍ୟ ଦେଇନାହାନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଆତ୍ମହତ୍ୟା, ଅସୁସ୍ଥତା, ହାଜତକୁ ଆସିବା ପୂର୍ବରୁ ଓ ପରେ ହୋଇଥିବା କ୍ଷତ, ହାଜତରୁ ଖସି ପଳାଇବାକୁ ଉଦ୍ୟମ କରିବା ଆଦିକୁ ହାଜତ ମୃତ୍ୟୁର କାରଣ ଭାବେ ଦର୍ଶାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ପୁଲିସ ଓ ଆଇନ ଶୃଙ୍ଖଳା ହେଉଛି ରାଜ୍ୟ ବିଷୟ, ତେଣୁ ହାଜତ ମୃତ୍ୟୁ ଆଦି ବ୍ୟାପାରରେ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତି ନାହିଁ। ପୁଲିସର ବର୍ବରତା, ହାଜତ ମୃତ୍ୟୁ ସଂଖ୍ୟା କମାଇବା ଏବଂ ମାନବାଧିକାର ପ୍ରତି ଦୃଷ୍ଟି ଦେବା ହେଉଛି ରାଜ୍ୟ ସରକାରମାନଙ୍କ ଦାୟିତ୍ବ।

ବିଜେପି ସଦସ୍ୟ ଜଗଦମ୍ବିକା ପାଲଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ପୂର୍ବ ତୁଳନାରେ ହାଜତ ମୃତ୍ୟୁରେ କୌଣସି ବୃଦ୍ଧି ଘଟି ନାହିଁ। ଏନ୍‌ଏଚ୍‌ଆର୍‌ସିର ତଥ୍ୟ ଅନୁସାରେ ଗତ ତିନିବର୍ଷ ଭିତରେ ୧୯ଟି ଜେଲ ହିଂସା ଘଟଣା ଘଟିଛି କିନ୍ତୁ ଏଥିରେ କାହାରି ମୃତ୍ୟୁ ହୋଇ ନାହିଁ। ତେବେ ଏନ୍‌ଏଚ୍‌ଆର୍‌ସି ଏବଂ ଏନ୍‌ସିଆର୍‌ବି ତଥ୍ୟରେ ଅମେଳ ରହିଛି।

ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ୨୦୧୯ରେ ୮୫ଟି ହାଜତ ମୃତ୍ୟୁ ଘଟିଥିବା ବେଳେ ୨୦୨୦ରେ ୭୬ଟି ମୃତ୍ୟୁ ଘଟିଛି। ପୁଲିସ ସଂସ୍କାର କାର୍ଯ୍ୟକ୍ରମ ଓ ରାଜ୍ୟଗୋଷ୍ଠୀ ମାନବାଧିକାର ପଦକ୍ଷେପର ବରିଷ୍ଠ ଗବେଷକ ରାଜା ବାଗାଙ୍କ କହିବା ଅନୁସାରେ ଏନ୍‌ଏଚ୍‌ଆର୍‌ସି ଏବଂ ଏନ୍‌ସିଆର୍‌ବି ତଥ୍ୟରେ ସବୁବେଳେ ଅମେଳ ରହିଥାଏ। ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ ୨୦୧୯ ଓ ୨୦୨୦ରେ ଯଥାକ୍ରମମେ ୮୫ ଓ ୭୬ଟି ହାଜତ ମୃତ୍ୟୁ ହୋଇଥିବା ବେଳେ ଏନ୍‌ଏଚ୍‌ଆର୍‌ସି ତଥ୍ୟ ଅନୁସାରେ ଉକ୍ତ ଦୁଇବର୍ଷରେ ଯଥାକ୍ରମେ ୧୧୭ ଓ ୮୩ଟି ହାଜତ ମୃତ୍ୟୁ ହୋଇଛି। ହାଜତ ମୃତ୍ୟୁର ମାନକ ସଂଜ୍ଞା ଓ ବର୍ଗୀକରଣ ଅଭାବରୁ ଏହା ହେଉଥାଇ ପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର