ମାସକୁ ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବୁ, ଚାହୁଁଥିଲେ ନାଁ ଲେଖାଇଦିଅ : ଅଖିଳେଶ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ବିଜେପି, ସମାଜବାଦୀ ପାର୍ଟି ସମେତ ସବୁ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳମାନେ ବିଭିନ୍ନ ଲୋଭନୀୟ ଅଫର ଘୋଷଣା କରିବାରେ ଲାଗିଛନ୍ତି । ଆଜି ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ଭୋଟରମାନଙ୍କୁ ମାସକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ଯେଉଁମାନେ ମାଗଣା ବିଜୁଳି ପାଇବାକୁ ଚାହୁଁଛନ୍ତି, ସେମାନେ ବୁଧବାରଠାରୁ ନିଜ ନିଜ ନାମ ଲେଖାଇନେବାକୁ ସେ ପରାମର୍ଶ ଦେଇଛନ୍ତି ।

ବୁଧବାରଠାରୁ ସପା ପକ୍ଷରୁ ଏକ ନାମଲେଖା (ନାମ ଲିଖାଓ) ଅଭିଯାନ ଆରମ୍ଭ କରାଯାଉଛି । ଯେଉଁମାନେ ମାଗଣା ବିଜୁଳି ପାଇବାକୁ ଚାହୁଁଛନ୍ତି, ସେମାନେ ଏହି ଅଭିଯାନରେ ସାମିଲ ହୋଇ ନିଜ ନିଜର ନାମ ଲେଖାଇବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଘୋଷଣା ଅବସରରେ ଆଜମ ଖାଁଙ୍କ ପୁଅ ଅବଦୁଲ୍ଲା ଆଜମ ଓ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଉପସ୍ଥିତ ଥିଲେ ।

ଯେଉଁମାନେ ନାଁ ଲେଖାଇବାକୁ ଚାହୁଁଛନ୍ତି ସେମାନଙ୍କୁ ଏକ ଫର୍ମ ପୂରଣ କରିବାକୁ ହେବ । ବିଦ୍ୟୁତ ବିଲରେ ଯେଉଁ ନାମ ଲେଖାଥିବ ସେହି ନାମ ଫର୍ମରେ ଲେଖିବାକୁ ହେବ । ଯେଉଁମାନେ ନୂଆ ସଂଯୋଗ ନେବାକୁ ଚାହୁଁଛନ୍ତି, ସେମାନେ ନିଜ ରାସନ କାର୍ଡ ଓ ଆଧାର କାର୍ଡରେ ଥିବା ନାଁ ଫର୍ମରେ ଲେଖିବେ । ଅନ୍ୟପକ୍ଷରେ ଜଳସେଚନ ପାଇଁ ମାଗଣାରେ ବିଦ୍ୟୁତ ଦିଆଯିବ ବୋଲି ସେ ପୂର୍ବରୁ ଘୋଷଣା କରିସାରିଛନ୍ତି ।

 

ସମ୍ବନ୍ଧିତ ଖବର