ସିରିଆର ଆଲେପ୍ପୋ ସହରରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ୩୮ ମୃତ

ବେରୁଟ୍: ଇସ୍ରାଏଲ ସେନା ସିରିଆରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ କରିଛି। ଶୁକ୍ରବାର ସକାଳେ ଉତ୍ତର ସିରିଆର ଆଲେପ୍ପୋ ସହର ନିକଟରେ ହୋଇଥିବା ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକ୍ ରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି  ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ହିଜବୁଲ୍ଲା ଆତଙ୍କବାଦୀ ଅଛନ୍ତି। ଏଥିସହିତ ଅନେକ କ୍ଷୟକ୍ଷତି ହୋଇଛି। ଆଲେପ୍ପୋ ଓ ଏହାର ଉପାନ୍ତ ଅଞ୍ଚଳରେ ଥିବା ବେସାମରିକ ଟାର୍ଗେଟ ଉପରେ ଇସ୍ରାଏଲର ଆକ୍ରମଣ ଏବଂ ସିରିଆ ବିଦ୍ରୋହୀ ଗୋଷ୍ଠୀଙ୍କ ଡ୍ରୋନ୍ ଆକ୍ରମଣ ହୋଇଛି ବୋଲି ସିରିଆର ସରକାରୀ ଗଣମାଧ୍ୟମ ଜଣେ ଅଜ୍ଞାତ ସାମରିକ ଅଧିକାରୀଙ୍କ ବୟାନକୁ ଭିତ୍ତି କରି କହିଛି।

ସିରିଆନ୍ ଅବଜର୍ଭେଟରୀ ଫର୍ ହ୍ୟୁମାନ ରାଇଟ୍ସ କହିଛି ଯେ ଆଲେପ୍ପୋର ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏହି ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଆଲେପ୍ପୋର ଦକ୍ଷିଣ ଉପନଗର ଜିବରିନରେ ଥିବା ଲେବନାନ ଆତଙ୍କବାଦୀ ହିଜବୁଲ୍ଲା ଗୋଷ୍ଠୀର ଏକ କ୍ଷେପଣାସ୍ତ୍ର ଡିପୋକୁ ଟାର୍ଗେଟ୍ କରି ଇସ୍ରାଏଲ ଏହି ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଏକ ଡଜନରୁ ଅଧିକ ସୈନିକ ପ୍ରାଣ ହରାଇଛନ୍ତି କିମ୍ବା ଆହତ ହୋଇଛନ୍ତି। ଆକ୍ରମଣର ଦୁଇ ଘଣ୍ଟା ପରେ ବି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି ବୋଲି ଅବଜର୍ଭେଟୋରି କହିଛି। ତେବେ ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ଅଧିକାରୀଙ୍କ ପକ୍ଷରୁ କୌଣସି ବୟାନ ଦିଆଯାଇନାହିଁ।

ସମ୍ବନ୍ଧିତ ଖବର