ଟ୍ରକ୍‌ କଣ୍ଟେନରରୁ ମିଳିଲା ୩୯ ମୃତ ଦେହ, ଶ୍ୱାସରୁଦ୍ଧ ହୋଇ ମରିଥିବା ଆଶଙ୍କା

ଲଣ୍ଡନ : ଆଜି ବ୍ରିଟିସ ପୁଲିସ ପୂର୍ବ ଲଣ୍ଡନ ଶିଳ୍ପାଞ୍ଚଳରୁ ଏକ ଟ୍ରକ୍‌ କଣ୍ଟେନର ମଧ୍ୟରୁ ୩୯ଟି ମୃତ ଦେହ ଉଦ୍ଧାର କରିଛି। ଏତେ ସଂଖ୍ୟକ ମୃତଦେହ କାହିଁକି ଓ କେଉଁଠିକୁ ଚାଲାଣ ହେଉଛି ସେ ନେଇ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି। କଣ୍ଟେନରରେ ଥିବା ଲୋକଙ୍କ କିଭଳି ସ୍ଥିତିରେ ମୃତ୍ୟୁ ଘଟିଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ବେଆଇନ ମାନବ ଚାଲାଣ ଯୋଗୁଁ ଏତେ ସଂଖ୍ୟାରେ ଲୋକଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି। ଟ୍ରକ୍‌ କଣ୍ଟେନର ମଧ୍ୟରେ ସେମାନଙ୍କୁ ଅତି ଦୟନୀୟ ଭାବେ ଲଦି ଅଣାଯାଉଥିଲା । ଏହି ଟ୍ରକ୍‌ ଗତ ଶନିବାର ବୁଲ୍‌ଗେରିଆରୁ ବ୍ରିଟେନ୍‌ ଆସୁଥିଲା। ୱାଲ୍‌ସର ହୋଲିହେଡ୍‌ ନିକଟରେ ବ୍ରିଟେନ୍‌କୁ ଟ୍ରକ୍‌ ପ୍ରବେଶ କରିଥିଲା। ସନ୍ଦେହରେ ପୁଲିସ ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି। ଟ୍ରକ୍‌ ଡ୍ରାଇଭରର ଘର ଉତ୍ତର ଆୟାର୍ଲାଣ୍ଡରେ ବୋଲି ଜଣାପଡ଼ିଛି। ଏହା ଏକ ବେଆଇନ ମାନବ ଚାଲାଣ ମାମଲା ଏବଂ ଏହାର ଅନୁସନ୍ଧାନ କରାଯାଇ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଲଣ୍ଡନ ମୁଖ୍ୟ ପୁଲିସ ସୁପରିଟେଣ୍ଡେଣ୍ଟ ଆଣ୍ଡ୍ର୍ୟୁ ମାରିନର କହିଛନ୍ତି।

ମୃତ ଦେହ ଭର୍ତ୍ତି ଏହି ଟ୍ରକ୍‌ଟି କେନ୍ଦ୍ରୀୟ ଲଣ୍ଡନରୁ ୨୦ ମାଇଲ୍‌ ଦୂର ୱାଟରଗ୍ଲାଡ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ନିକଟରେ ଥିବାବେଳେ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଥିଲା। ୩୯ ମୃତ ଦେହ ମଧ୍ୟରୁ ୩୮ଟି ବୟସ୍କ ପୁରୁଷଙ୍କ ଶବ ଥିଲାବେଳେ ଜଣେ ଶିଶୁର ଶବ ଏହି ଟ୍ରକ୍‌ କଣ୍ଟେନର ମଧ୍ୟରେ ଥିଲା। ଖୁବ୍‌ ଶୀଘ୍ର ଘଟଣାର ପର୍ଦ୍ଦାଫାସ ହୋଇଯିବ ବୋଲି ବ୍ରିଟେନ୍‌ର ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରାଣ୍ଡେନ୍‌ ଲୁଇସ କହିଛନ୍ତି। ପୂର୍ବରୁ ମଧ ମାନବଚାଲାଣର ଏଭଳି ହୃଦୟ ବିଦାରକ ଘଟଣା ନଜରକୁ ଆସିଛି। ମିଳିତ ଜାତିସଂଘ ଗତ ୨୦୧୪ ମସିହାରୁ ବିଭିନ୍ନ ଦେଶରେ ହେଉଥିବା ମାନବ ଚାଲାଣ ସମ୍ପର୍କରେ ତଥ୍ୟ ପ୍ରକାଶ କରିଛି। ୨୦୧୪ରେ ଆଫ୍‌ଗାନିସ୍ତାନରେ ମାନବ ଚାଲାଣ ବେଳେ ସୌଭାଗ୍ୟବଶତଃ ୩୪ ‌ଜଣ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହିଭଳି ୨୦୧୫ରେ ଇଟାଲିରୁ ଏକ କାଠ ଡାଲାରେ ମାନବ ଚାଲାଣ ହେଉଥିବା ବେଳେ ୨ ଜଣଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ୨୦୧୫ରେ ବୁଲ୍‌ଗେରିଆ-ହଙ୍ଗେରୀର ଏକ ମାନବ ଚାଲାଣ ଘଟଣାରେ ୭୧ ଲୋକଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ୨୦୦୦ରେ ମଧ୍ୟ ଏଭଳି ଏକ ମାନବ ଚାଲାଣ ଘଟଣାରେ ଚୀନ୍‌ର ୫୮ ଜଣ ଲୋକଙ୍କର ଶ୍ବାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର