ଇରାକ୍‌ରେ ଆଇଏସ୍‌ଆଇଏସ୍‌ ପଣବନ୍ଦୀ ରଖିଥିବା ୩୯ ଭାରତୀୟଙ୍କୁ ହତ୍ୟା କରାଯାଇଛି: ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ୨୦୧୪ ମସିହାରେ ଆଇଏସ୍‌ଆଇଏସ୍‌ ଦ୍ୱାରା ଇରାକ୍‌ରେ ଅପହୃତ ହୋଇଥିବା ୩୯ ଜଣ ଭାରତୀୟଙ୍କୁ ହତ୍ୟା କରାଯାଇଛି ବୋଲି ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି।

ରାଜ୍ୟସଭାରେ ମନ୍ତ୍ରୀ କହିଛନ୍ତି ଯେ ମୋସୁଲ୍‌ରୁ ଅପହରଣ କରାଯାଇଥିବା ପଣବନ୍ଦୀମାନଙ୍କର ମୃତ୍ୟୁ ସମ୍ବନ୍ଧରେ ଡିପ୍‌ ପେନିଟ୍ରେସନ୍‌ ରାଡାର୍‌ ନିଶ୍ଚିତ କରିଛି। ସେମାନଙ୍କର ଦେହାବଶେଷ ଖନନ କରାଯାଇ ଡିଏନ୍‌ଏ ନମୁନା ମେଳକ ପାଇଁ ଇରାକ୍‌ର ରାଜଧାନୀ ବାଗଦାଦକୁ ପଠାଯାଇଛି।
ସ୍ୱରାଜ କହିଛନ୍ତି: ଗତକାଲି, ଆମେ ସୂଚନା ପାଇଲୁ ଯେ ୩୯ ଜଣ ବ୍ୟକ୍ତିଙ୍କର ଡିଏନ୍‌ଏ ମେଳ ଖାଇ ଯାଉଥିବା ବେଳେ ଗୋଟିଏ ବ୍ୟକ୍ତିଙ୍କର ୭୦% ଡିଏନ୍‌ଏ ମିଶୁଛି।

ଗତବର୍ଷ ଜୁଲାଇ ମାସରେ ସ୍ୱରାଜ ଦୃଢ଼ ଭାବରେ ପାର୍ଲାମେଣ୍ଟ୍‌ରେ କହିଥିଲେ ଦୃଢ଼ ପ୍ରମାଣ ନ ମିଳିଲେ ୩୯ ଜଣ ଭାରତୀୟ ମରିଛନ୍ତି ବୋଲି ସେ ଘୋଷଣା କରିବେ ନାହିଁ।

ଦୃଢ଼ ପ୍ରମାଣ ବିନା ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବା ପାପ। ମୁଁ ଏ ଭଳି ପାପ କରିବି ନାହିଁ। ୨୦୧୭ ମସିହାରେ ଲୋକସଭାରେ ଏକ ବିବୃତିରେ ସ୍ୱରାଜ ଏହା କହିଥିଲେ।

ଏବେ ମୃତ୍ୟୁ କଥା ନିଶ୍ଚିତ ହେବା ପରେ, ସ୍ୱରାଜ କହିଛନ୍ତି କି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହଙ୍କ ଦ୍ୱାରା ଭାରତୀୟମାନଙ୍କର ଦେହାବଶେଷ ଭାରତକୁ ଫେରାଇ ଅଣାଯିବ।

ଜେନେରାଲ୍‌ ଭିକେ ସିଂହ ଇରାକ୍‌ ଯାଇ ଇରାକରେ ନିହତ ହୋଇଥିବା ଭାରତୀୟଙ୍କ ଦେହାବଶେଷ ଭାରତକୁ ଫେରାଇ ଆଣିବେ। ଦେହାବଶେଷ ନେଇ ଆସିଥିବା ବିମାନ ପ୍ରଥମେ ଅମୃତସର ଯିବ, ତା’ପରେ ପାଟନା ଏବଂ କୋଲକାତା ଯିବ।

ନିହତ ହୋଇଥିବା ୩୯ ଜଣକ ମଧ୍ୟରୁ ଅଧିକାଂଶ ପଞ୍ଜାବୀ ମୋସୁଲ ନିକଟରେ ଏକ ପ୍ରୋଜେକ୍ଟରେ କାମ କରୁଥିବାବେଳେ ସେମାନଙ୍କୁ ଅପହରଣ କରାଯାଇଥିଲା।

ଗୃହରେ ଆଜି ସ୍ୱରାଜ ମଧ୍ୟ କହିଥିଲେ କି, ଆଇଏସଆଇଏସ୍‌ କବଳରୁ ଖସି ଆସିଥିବା ହରଜିତ ମସି କଥା ମିଛ। ହରଜିତ ଦାବି କରୁଥିଲେ କି, ଅପହୃତ ହେବା ପରେ ଭାରତୀୟମାନଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ, ସେ ପରି ହୋଇ ନ ଥିଲା।

ଅସଲ କଥା ହେଉଛି, ଭାରତୀୟମାନଙ୍କ ସହ ଅପହୃତ ହୋଇଥିବା କିଛି ବାଂଲାଦେଶୀଙ୍କ ବନ୍ଦୀଙ୍କ ସହ ସେ ଖସି ଆସିଥିଲା। ସେ ମିଛରେ ଦାବି କରିଥିଲା କି, ତାଙ୍କ ଗୋଡ଼ରେ ଗୁଳି ଚୋଟ ବାଜିବା ପରେ ସେ ମୃତ ବୋଲି ଛଳନା କରି ପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର