ଫିଲିପାଇନ୍ସରେ ନାଲଗି ବାତ୍ୟାର ତାଣ୍ଡବ, ୪୫ ମୃତ

ମାନିଲା : ଓଡ଼ିଶାକୁ ବାତ୍ୟା ବିପଦ ଟଳିଯାଇଥିବାବେଳେ ଦକ୍ଷିଣ-ପୂର୍ବ ଏସିଆର ଏକ ଦେଶ ଫିଲିପାଇନ୍ସରେ ନାଲଗି ନାମକ ବାତ୍ୟା ଧ୍ବଂସଲୀଳା ରଚାଇଛି ।  ସ୍ଥାନୀୟ ଭାଷାରେ ଏହି ବାତ୍ୟାକୁ କୁହାଯାଉଛି ପାଏଙ୍ଗ୍ । ଏହି ସାମୁଦ୍ରିକ ବାତ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୪୫କୁ ବୃଦ୍ଧିପାଇଛି । ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା ରହିଛି ।

ପୂର୍ବରୁ ବେସରକାରୀ ସୁତ୍ରରୁ କୁହାଯାଇଥିଲା ଯେ ଏହି ବାତ୍ୟାରେ ୭୨ ଜଣ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଫିଲିପାଇନ୍ସର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଏନଡିଆରଆରଏମସି ପକ୍ଷରୁ ମୃତ୍ୟୁସଂଖ୍ୟାକୁ ୪୫କୁ କମାଇ ଦିଆଯାଇଛି ।

ଏହି ସାମୁଦ୍ରିକ ବାତ୍ୟା ଶନିବାର ସକାଳେ ଫିଲିପାଇନ୍ସର ପୂର୍ବ କାଟାନଡୁଆନେସ ରାଜ୍ୟରେ ଲାଣ୍ଡଫଲ କରିଥିଲା ଅର୍ଥାତ୍ ସ୍ଥ​ଳ ଭାଗ ଛୁଇଁଥିଲା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୫ କିଲୋମିଟର ଥିବାବେଳେ ୧୬୦ କିଲୋମିଟର ବେଗରେ ପବନର ଝଟକା ଲାଗୁଥିଲା । ଏହି ବାତ୍ୟା ପ୍ରଭାବରେ ଏବେ ରାଜଧାନୀ ମାନିଲା ଓ ଅନ୍ୟ ସ୍ଥାନଗୁଡ଼ିକରେ ବର୍ଷା ଜାରି ରହିଛି ।

ଫିଲିପାଇନ୍ସର ବେସାମରିକ ପ୍ରତିରକ୍ଷା ବିଭାଗର ମୁଖ୍ୟ ରାଫାଲିଟୋ ଆଲେଜାଣ୍ଡ୍ରୋ କହିଛନ୍ତି ଯେ ଦକ୍ଷିଣରେ ଥିବା ମିଣ୍ଡାନାଓ ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ରାଜ୍ୟରୁ ଏପର୍ଯ୍ୟନ୍ତ ୪୦ଟି ମୃତଦେହ ଉଦ୍ଧାର କରାଯାଇଛି ।

ଏହି ବାତ୍ୟା ଯୋଗୁଁ ୧୫ ଜଣ ଏବେ ବି ନିଖୋଜ ଅଛନ୍ତି ଓ ୩୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର