୪୯୧ ବର୍ଷର ଇତିହାସ: ମିର୍‌ ବକି ନିର୍ମାଣ କରିଥିଲେ ବାବ୍ରି ମସଜିଦ୍‌, ୧୮୫୦ରେ ହୋଇଥିଲା ପ୍ରଥମ ଧାର୍ମିକ ହିଂସା

୧୯୪୯ରେ ମୂର୍ତ୍ତି ସ୍ଥାପନ ପରେ ବଢ଼ିଥିଲା ବିବାଦ

ଅଯୋଧ୍ୟା ବିବାଦର ଇତିହାସ ଅନେକ ଲମ୍ବା। ପ୍ରାୟ ୪୯୧ ବର୍ଷ ତଳେ ୧୫୨୮ ମସିହାରେ ବାବରଙ୍କ ନିର୍ଦ୍ଦେଶରେ ମୀର୍‌ ବକିଙ୍କ ଦ୍ବାରା ବାବ୍ରି ମସଜିଦ୍‌ ନିର୍ମାଣ ହୋଇଥିଲା। ରାମଙ୍କ ଜନ୍ମସ୍ଥାନ କୁହାଯାଉଥିବା ଏହି ସ୍ଥାନରେ ରାମ ମନ୍ଦିର ଧ୍ବଂସ ପରେ ଏହି ମସଜିଦ୍‌କୁ ନିର୍ମାଣ କରାଯାଇଥିବାରୁ ଆରମ୍ଭରୁ ହିଁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତେବେ ଏହାର ୩୨୨ ବର୍ଷ ପରେ ୧୮୫୦ରେ ଅଯୋଧ୍ୟାରେ ରାମ ଜନ୍ମଭୂମିସ୍ଥଳକୁ ନେଇ ପ୍ରଥମ ଧାର୍ମିକ ହିଂସା ଆରମ୍ଭ ହୋଇଥିଲା। ହନୁମାନ ଗଢ଼ୀ ନିକଟସ୍ଥ ମସଜିଦ୍‌କୁ ନେଇ ମୁହାଁମୁହିଁ ହୋଇଥିଲେ ହିନ୍ଦୁ ମୁସଲମାନ। ଏହି ପ୍ରକ୍ରିୟାରେ ହିନ୍ଦୁମାନଙ୍କ ଦ୍ବାରା ବାବ୍ରି ମସଜିଦ୍‌ରେ ଆକ୍ରମଣ ହୋଇଥିଲା। ସେବେଠାରୁ ସ୍ଥାନୀୟ ହିନ୍ଦୁମା‌ନେ ସେହି ସ୍ଥାନର ମାଲିକାନା ପାଇଁ ଦାବି କରିଥିଲେ ଏବଂ ସେଠାରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେବାକୁ ଦାବି କରିଥିଲେ। ୧୮୫୩ରେ ପୁୂଣିଥରେ ଏହାକୁ ନେଇ ସାମ୍ପ୍ରଦାୟିକ ସଂଘର୍ଷ ଦେଖିବାକୁ ମିଳିଥିଲା। ଏହାର ୬ ବର୍ଷ ପରେ ବ୍ରିଟିଶ୍‌ ପ୍ରଶାସନ ବିବାଦୀୟସ୍ଥଳରେ ଏକ କାନ୍ଥ ବୁଲାଇଥିଲେ ଏବଂ ହିନ୍ଦୁ ଓ ମୁସଲମାନଙ୍କ ପୂଜାପାଇଁ ଭିନ୍ନ ସ୍ଥାନ ଦର୍ଶାଇଥିଲେ। ଏହି କାରଣ ପାଇଁ ଦୀର୍ଘ ବର୍ଷ ଧରି ବିବାଦ ରହି ଆସିଥିଲା।

ମଝିରେ ଦୀର୍ଘ ୯ ଦଶନ୍ଧି ଧରି ବିବାଦ ଲାଗି ରହିଥିଲେ ହେଁ ଭାରତର ସ୍ବାଧୀନତା ଆନ୍ଦୋଳନ ଯୋଗୁଁ ଏହା ପ୍ରାଥମିକତା ପାଇ ନ ଥିଲା। ତେବେ ସ୍ବାଧୀନତା ପ୍ରାପ୍ତି ପରେ ପରେ ଏହି ବିବାଦ ପୁଣିଥରେ ତେଜିଥିଲା ଏବଂ ଅଦାଲତରେ ଛନ୍ଦି ‌େହାଇଗଲା। ୧୯୪୬ରେ ହିନ୍ଦୁ ମହାସଭାର ଏକ ଶାଖା ଅଖିଳ ଭାରତୀୟ ରାମାୟଣ ମହାସଭା (ଏବିଆରଏମ୍‌) ବିବାଦୀୟସ୍ଥଳରେ ଶୋଭାଯାତ୍ରା ପାଇଁ ଆନ୍ଦୋଳନ କରିଥିଲେ। ୧୯୪୯ରେ ଗୋରଖନାଥ ମଠର ସନ୍ଥ ଦିଗ୍‌ବିଜୟ ନାଥ ଏବିଆରଏମ୍‌ ସହ ଯୋଗ ଦେଇ ଲଗାତାର ୯ ଦିନ ପର୍ଯ୍ୟନ୍ତ ରାମଚରିତ ମାନସ ପାଠ କରିଥିଲେ। ଏହାର ଶେଷଦିନରେ ହିନ୍ଦୁ ଭକ୍ତମାନେ ମସଜିଦ୍‌ ଭାଙ୍ଗି ଭିତରକୁ ପଶିଥିଲେ ଏବଂ ସେଠାରେ ରାମସୀତାଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ଫଳରେ ଲୋକମାନେ ବିଶ୍ବାସ କରିଥିଲେ ଯେ ମସଜିଦ୍‌ ଭିତରେ ପ୍ରଭୁ ରାମସୀତାଙ୍କ ଦିବ୍ୟ ଦର୍ଶନ ମିଳିଛି। ୨୨ ଡିସେମ୍ବର ୧୯୪୯ରେ ଏହି ଘଟଣା ଘଟିବା ପରେ ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇଥିଲା। ମୁସଲମାନଙ୍କ ପକ୍ଷରୁ ଏହାର ବିରୋଧ କରାଯିବାରୁ ଜଟିଳ ସ୍ଥିତି ଉପୁଜିଥିଲା।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁ ମସଜିଦ୍‌ ମଧ୍ୟରୁ ମୂର୍ତ୍ତି ବାହାର କରିବା ଜିଦ୍‌ରେ ଅଟଳ ରହିଥିଲେ। କିନ୍ତୁ ସ୍ଥାନୀୟ ଅଧିକାରୀ କେକେ ନାୟାର ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନ ଥିଲେ। ଏହାଦ୍ବାରା ସାମ୍ପ୍ରଦାୟିକ ଦଙ୍ଗା ହେବ ବୋଲି ସେ ଯୁକ୍ତି କରିଥିଲେ। ଏହାପରେ ପୁଲିସ ମସଜିଦ୍‌ ଗେଟ୍‌ରେ ତାଲା ପକାଇ ଦେଇଥିଲେ। କିନ୍ତୁ ମସଜିଦ୍‌ ଭିତରେ ମୂର୍ତ୍ତି ଥିବାରୁ ପୁରୋହିତମାନଙ୍କୁ ମୂର୍ତ୍ତି ପୂଜନ ପାଇଁ ପ୍ରତିଦିନ ପ୍ରବେଶ ଅନୁମତି ମିଳୁଥିଲା। ତେଣୁ ମସଜିଦ୍‌ ବାସ୍ତବରେ ଏକ ମନ୍ଦିରରେ ପରିଣତ ହୋଇଥିଲା। ଏହାକୁ ବିରୋଧ କରି ଉଭୟ ସୁନ୍ନି ୱାକଫ୍‌ ବୋର୍ଡ ଏବଂ ଏବିଆରଏଫ୍‌ ଦ୍ବାରା ଜମି ମାଲିକାନା ପାଇଁ ସ୍ଥାନୀୟ କୋର୍ଟରେ ମକଦ୍ଦମା ରୁଜୁ କରାଯାଇଥିଲା। ଏହାପରେ ଜମିକୁ ବିବାଦୀୟ ଘୋଷଣା କରାଯାଇଥିଲା ଏବଂ ଗେଟ୍‌ରେ ତାଲା ପକାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର