୫ ପାକ୍‌ ଘାଟି ଧ୍ବଂସ: ଦୃଢ଼ ଜବାବ ଦେଉଛନ୍ତି ଭାରତୀୟ ସେନା, ୭ ପାକିସ୍ତାନୀ ମୃତ

ଜମ୍ମୁ: ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେଇ ଭାରତ ଗତକାଲି ପାକିସ୍ତାନରେ ପଶି କରିଥିବା କାର୍ଯ୍ୟାନୁଷ୍ଠାନ ଏବେ ପାକ୍‌ ସେନାର ନିଦ ହଜାଇ ଦେଇଛି। ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟସ୍ଥ ଭାରତୀୟ ଗ୍ରାମଗୁଡ଼ିକ ୁପରେ ଗତକାଲି ଅପରାହ୍ନରୁ ଗୁଳି ବର୍ଷା ଜାରି ରଖିଛି। ଭାରତ ଭାରୀ ଯୁଦ୍ଧାସ୍ତ୍ରରେ ଆଜି କଡ଼ା ଜବାବ ଦେବାପରେ ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପାକିସ୍ତାନ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରିଥିବାବେଳେ ଭାରତ ପାକିସ୍ତାନୀ ଘାଟିଗୁଡ଼ିକୁ ଟାର୍ଗେଟ୍‌ କରି ପ୍ରବଳ ଗୁଳି ଗୋଳା ବର୍ଷା ଜାରି ରଖିଛି। ପାକ୍‌ ସେନାର ୫ଟି ପୋଷ୍ଟ ସଂପୂର୍ଣ୍ଣ ଧ୍ବଂସ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ଅନେକ ସଂଖ୍ୟାରେ ପାକ୍‌ ରେଂଜର୍ସ ମଧ୍ୟ ନିହତ ହୋଇଥିବା ଜଣାପଡ଼ିଛି। କିନ୍ତୁ ପାକିସ୍ତାନ ନିଜର କ୍ଷୟକ୍ଷତିକୁ ଲୁଚାଇବାରେ ଲାଗିଛି। ଭାରତର କାର୍ଯ୍ୟାନୁଷ୍ଠାନରେ କୌଣସି ସାଧାରଣ ନାଗରିକ ନିହତ ହୋଇନଥିଲେ ମଧ୍ୟ ପାକିସ୍ତାନ ଦାବି କରିଛି ଯେ ଭାରତୀୟ ସେନାର ଗୁଳିମାଡ଼ରେ ଏହାର ୭ ଜଣ ନାଗରିକ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ପାକ୍‌ ଗୁଳିମାଡ଼ରେ ଭାରତର ୫ ଜଣ ଯବାନ୍‌ ଆହତ ହୋଇଛନ୍ତି।

ସୀମାନ୍ତ ଗାଁ ଖାଲି ହେଉଛି

ଶ୍ରୀନଗର: ଜମ୍ମୁ କଶ୍ମୀରରେ ନିୟନ୍ତ୍ରଣ ରେଖା‌ ଅଂଚଳରେ ପ୍ରବଳ ଗୁଳିଗୋଳା ବର୍ଷା ଜାରି ରହିଥିବାରୁ ଭାରତ ଆଜି ୪୦ରୁ ଅଧିକ ଗ୍ରାମର ଲୋକଙ୍କୁୂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଏହି ପ୍ରକ୍ରିୟା ୨ ଦିନ ମଧ୍ୟରେ ସଂପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି। ନିୟନ୍ତ୍ରଣ ରେଖା ନିକଟସ୍ଥ ଗ୍ରାମ ଗୁଡ଼ିକୁ ଟାର୍ଗେଟ୍‌ କରି ପାକିସ୍ତାନ ମୋର୍ଟାର ମାଡ଼ ଜାରି ରଖିଛି। ଉରି ଜିଲ୍ଲାର କାମାଲକୋଟ୍‌ ନଲା ଏବଂ କଲ୍‌ଗାଇ ଗ୍ରାମରେ ଏବେ ସ୍ଥିତି ସାଂଘାତିକ ହୋଇପଡ଼ିଛି। ପାକ୍‌ ପଟୁ ଲଗାତାର ଗୁଳିବର୍ଷା ହେଉଥିବାରୁ ଏହି ଦୁଇଟି ଗ୍ରାମର ସମସ୍ତ ଲୋକେ ଏବେ ବଙ୍କରରେ ଆଶ୍ରୟ ନେଇଛନ୍ତି। ଜମ୍ମୁ କଶ୍ମୀର ପ୍ରଶାସନ ପ୍ରାୟ ୩ ହଜାର ଲୋକଙ୍କୁ ଏକ ସ୍ବତନ୍ତ୍ର କ୍ୟାମ୍ପ୍‌ରେ ରଖିଛି । ସୀମାବର୍ତ୍ତୀ ସମସ୍ତ ଅଂଚଳର ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଥିବା ବେଳେ ଇଣ୍ଟରନେଟ୍‌ ସେବା ମଧ୍ୟ ସସ୍‌ପେଣ୍ଡ କରାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ କମନ୍‌ ପୋଷ୍ଟ୍‌ ଦେଇ ହେଉଥିବା ବାଣିଜ୍ୟ ବ୍ୟବସାୟ ବନ୍ଦ ରହିଛି। ଜମ୍ମୁ କଶ୍ମୀରର ପୁଞ୍ଚ୍‌ ଏବଂ ରାଜୌରି ଜିଲ୍ଲାରେ ଅହରହ ଗୁଳିବର୍ଷା ଚାଲିଥିବାରୁ ସୈନ୍ୟ ମୁତୟନ ବଢ଼ାଇ ଦିଆଯାଇଛି। ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନାଣ୍ଟ୍‌ କର୍ନେଲ୍‌ ‌ଦେବେନ୍ଦ୍ର ଆନନ୍ଦ କହିଛନ୍ତି ଯେ ଭାରତ ପଟୁ ଆକ୍ରମଣରୁ ବର୍ତ୍ତିବାପାଇଁ ପାକିସ୍ତାନ ସୀମା ନିକଟସ୍ଥ ଗ୍ରାମବାସୀମାନଙ୍କୁ ଢାଲ ଭାବେ ବ୍ୟବହାର କରୁଛି ।

ସମ୍ବନ୍ଧିତ ଖବର