ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ଡାଲିରେ ପଡ଼ି ୫ ବର୍ଷୀୟ ବାଳିକାର ମୃତ୍ୟୁ

ଭୋପାଳ: ଶାହାଦୋଳ ଜିଲ୍ଲାର ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ମସୁର ଡାଲି ଥିବା ପାତ୍ରରେ ପଡ଼ି ଜଣେ ୫ ବର୍ଷୀୟ ବାଳିକାର ମୃତ୍ୟୁ ଘଟିଛି। ଦୈବାତ୍‌ ଡାଲି ପାତ୍ରରେ ପଡ଼ି ଯାଇଥିବା ସେ ବାଳିକାକୁ ଚିକିତ୍ସା ନିମନ୍ତେ ଜବଲପୁରର ଏକ ଘରୋଇ ଡାକ୍ତରଖାନକୁ ନିଆ ଯାଇଥିଲା ଏବଂ ସେଠାରେ ତା’ର ମୃତ୍ୟୁ ଘଟିଲା।

ସୁହାସିନୀ ବାଇଗା ନାମ୍ନୀ ସେ ପିଲାଟି ଡାଲି ପାତ୍ରରେ ପଡ଼ିଥିବା କଥା ଅଙ୍ଗନବାଡ଼ି ସହକାରୀ କାଇସି ବାଇଗା ଦେଖିଥିଲେ। ଦୁର୍ଘଟନା ଘଟିବା ବେଳେ କାଇସି ଭାତ ଆଣିବାକୁ ପାଖ କୋଠରିକୁ ଯାଇଥିଲେ ବୋଲି ପୁଲିସ କହିଛି।

କାଇସି କହନ୍ତି: ଆରପାଖ ଘରକୁ ଭାତ ଆଣିବାକୁ ଯାଇଥିବା ବେଳେ ଚିତ୍କାର ଶୁଣି ମୁଁ ଧାଇଁ ଆସି ଦେଖିଲି ଝିଅଟି ଡାଲି ପାତ୍ରରେ ପଡ଼ିଛି। ମୁଁ ତାକୁ କାଢ଼ି ତା’ ବାପାକୁ ଜଣାଇବାରୁ ସେ ତାକୁ ଜିଲ୍ଲା ହସ୍‌ପିଟାଲ୍‌କୁ ନେଇଥିଲେ।

ଝିଅର ବାପା ବାଇସାଖୁ ବାଇଗା କହିଛନ୍ତି ଯେ ଝିଅର ଚିକିତ୍ସା କରାଇବାକୁ ଅଙ୍ଗନବାଡ଼ି କର୍ମଚାରୀ ତାଙ୍କୁ ୨୫୦ ଟଙ୍କା ଦେଇଥିଲେ। ସେ ତାକୁ ଶାହାଦୋଳର ଜିଲ୍ଲା ହସ୍‌ପିଟାଲ୍‌କୁ ନେଇଥିଲେ।

ସେଠାରେ ଡାକ୍ତରମାନେ ଝିଅର ଚାରି ଦିନ ଚିକିତ୍ସା କଲେ, କିନ୍ତୁ ପୁଲିସକୁ ଖବର ଦେଲେ ନାହିଁ। ମଙ୍ଗଳବାର ଦିନ ଡାକ୍ତରଖାନା କର୍ତ୍ତୃପକ୍ଷମାନେ ପୁଲିସକୁ ଜଣାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ସଙ୍କଟାପନ୍ନ ପୀଡ଼ିତାକୁ ଜବଲପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ତାନାନ୍ତର କରିଥିବା କଥା ଆଡିସ୍‌ନାଲ୍‌ ଡିସ୍‌ଟ୍ରିକ୍ଟ୍‌ ମାଜିଷ୍ଟ୍ରେଟ୍‌ ଅଶୋକ ଓହରି କହିଛନ୍ତି।

ସମ୍ବନ୍ଧିତ ଖବର