ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌କୁ ୧୧ ବର୍ଷ ଜେଲ୍, ୩୦,୦୦୦ ଜରିମାନା

ଇସଲାମାବାଦ୍: ବିଶ୍ବ ଆତଙ୍କବାଦୀ ଘୋଷଣା ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସଇଦକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନର ଏକ କୋର୍ଟ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ ବିରୋଧରେ ଚାଲିଥିବା ଦୁଇଟି ମାମଲାର ବିଚାର କରି ଅଦାଲତ ସମୁଦାୟ ୧୧ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି।  ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ନାମରେ ପାଣ୍ଠି ସଂଗ୍ରହ କରି ତାହାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ବ୍ୟବହାର କରିବା ସଂପର୍କିତ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହାଫିଜକୁ ଦଣ୍ଡସ୍ବରୁପ ସାଢ଼େ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଦିଆଯାଇଛି। ଏଥିସହ  ପ୍ରତି ମାମଲାରେ ୧୫,୦୦୦ ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି।

ହାଫିଜ୍ ସଇଦ୍  ଏବଂ ତାର ୧୨ ସହଯୋଗୀଙ୍କୁ  ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରିଥିବା କାରଣରୁ ୨୦୧୯ରେ ଗିରଫ କରାଯାଇଥିଲା। ସେମାନଙ୍କ ବିରୋଧରେ ୨୩ଟି ମାମଲାରେ ରୁଜ୍ଜୁ ହୋଇଥିଲା। ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଉପରେ ଆନ୍ତର୍ଜାତିକ ଚାପ କ୍ରମଶଃ ବଢ଼ି ଚାଲିଥିବାରୁ ପାକ୍ ସରକାର ଏହି ପଦକ୍ଷେପ ନେଇଥିଲେ।

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ପାଇଁ ଅର୍ଥ ଯୋଗାଡ଼ କରିବାକୁ ପାଞ୍ଚଟି ଟ୍ରଷ୍ଟ୍‍କୁ  ବ୍ୟବହାର କରିଥିବା ଜମାତ୍‌-ଉଦ୍‌-ଦାଓ୍ଵାର ମୁଖ୍ୟ  ହାଫିଜ୍ଏବଂ ତାର ୧୨ ଜଣ ସହଯୋଗୀଙ୍କ ବିରୋଧରେ ୨୩ଟି ମାମଲା ରୁଜୁ କରିଥିଲା ପାକିସ୍ତାନର ଆଣ୍ଟି ଟେରରିଜିମ୍ ସ୍କ୍ବାର୍ଡ।  ହାଫିଜ୍‌ ବ୍ୟବହାର କରିଥିବା ଦାତବ୍ୟ ସଂଗଠନଗୁଡ଼ିକ ଥିଲା ଦାଓ୍ଵାତ୍‌ ଇଶ୍‌ରାଦ୍‌ ଟ୍ରଷ୍ଟ୍‍, ମୋଆଜ୍‌ ବିନ୍‌ ଜବାଲ୍‌ ଟ୍ରଷ୍ଟ୍‍, ଅଲ୍‌-ଅନ୍‌ଫାଲ୍‌ ଟ୍ରଷ୍ଟ, ଅଲ୍‌-ମଦିନା ଫାଉଣ୍ଡେସନ୍‌ ଟ୍ରଷ୍ଟ୍‍, ଅଲ୍‌-ହମଦ ଟ୍ରଷ୍ଟ। ଏହି ସଂଗଠନ ଲାହୋର, ଗୁଜରାନ୍‌ଓ୍ଵାଲା ଏବଂ ମୁଲ୍‌ତାନ ଭଳି ପ୍ରମୁଖ ସହରରେ କାର୍ଯ୍ୟକରୁଥିଲା

ଏହି ମାମଲାରେ  ହାଫିଜ୍‌ ମହମ୍ମଦ୍‌ ସଇଦ୍‌ ବ୍ୟତୀତ  ଜମାତ୍‌ -ଉଦ୍‌-ଦାଓ୍ଵାର ୩ ଜଣ ସଦସ୍ୟ  ଅବ୍‌ଦୁଲ୍‌ ରେହମାନ୍‌, ଅମୀର ହାମ୍‌ଜା ଓ ମହମ୍ମଦ ୟାହ୍ୟା ଅଜିଜ୍‌ ମଧ୍ୟ ସମ୍ପୃକ୍ତ ଥିଲେ। ଆଜି ଏଥିମଧ୍ୟରୁ ୨ଟି ମାମଲାର ରାୟ ପ୍ରକାଶ ପାଇଛି ଓ ହାଫିଜ୍ ସଇଦକୁ ୧୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।

ସମ୍ବନ୍ଧିତ ଖବର