ଅପରେସନ ରୋମିଓ: କଲେଜ ଛାତ୍ରୀଙ୍କୁ ଟଣାଓଟରା କରୁଥିବାରୁ ୫୦ ଯୁବକଙ୍କୁ ଉଠାଇନେଲା ପୁଲିସ

ଜୟପୁର: ରାଜସ୍ଥାନର ଜୟପୁର ପୁଲିସ ଦ୍ୱାରା କରାଯାଇଥିବା ଅପରେସନ ରୋମିଓ ଯୋଗୁଁ ୫୦ ଜଣ ଯୁବକଙ୍କୁ ଅଟକ ରଖାଯାଇଛି | ଏହି ଯୁବକମାନେ କଲେଜରେ ପାଠ ପଢ଼ୁଥିବା ଛାତ୍ରୀ ଓ ରାସ୍ତାରେ ଯାଉଥିବା ଯୁବତୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ରହିଛି | ମହିଳା ମହାବିଦ୍ୟାଳୟ ଓ ସ୍କୁଲ ପାଖରେ ଏହି ଯୁବକମାନେ ବାରମ୍ବାର ଯୁବତୀଙ୍କୁ ଅଶ୍ଳୀଳ କମେଣ୍ଟ ମାରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା | ଏହା ପରେ ପୁଲିସ ପକ୍ଷରୁ ଅପରେସନ ରୋମିଓ ଅଭିଯାନ କରାଯାଇ ଯୁବକମାନଙ୍କୁ ଅଟକ ରଖାଯାଇଛି |

Photo-Patrika

ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ କିଛି ଦିନ ଧରି ଜୟପୁର ଅଧୀନରେ ଥିବା ଥାନା ମାନଙ୍କରେ ଯୁବତୀ ଓ ଛାତ୍ରୀଙ୍କ ଅଭିଭାବକମାନେ ଅଭିଯୋଗ କରିଥିଲେ | ସେମାନଙ୍କ ଝିଅମାନେ ସ୍କୁଲ ଯାଉଥିବାବେଳେ କିଛି ଯୁବକ ଅଶ୍ଳୀଳ କମେଣ୍ଟ ମାରିବା ସହ ଟଣାଓଟରା କରୁଥିବାର ଅଭିଯୋଗ କରିଥିଲେ |

ଏହା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ ଛକସ୍ଥାନମାନଙ୍କରେ ଚଢ଼ାଉ କରି ୫୦ଜଣ ଯୁବକଙ୍କୁ ଥାନାକୁ ଉଠାଇଆଣିଥିଲା | ପୁଲିସ ପକ୍ଷରୁ କହିବା ମୁତାବକ ଅପରେସନ ରୋମିଓ ପାଇଁ ୮ଟି ପୁଲିସ ଟିମ ଗଠନ କରାଯାଇଥିଲା | ସାଦା ପୋଷାକରେ ପୁଲିସମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ବାହାରେ ମୁତୟନ ହୋଇ କମେଣ୍ଟ ମାରୁଥିବା ଯୁବକଙ୍କ ଉପରେ ନଜର ରଖୁଥିଲେ | ଯେଉଁମାନେ ବାରମ୍ବାର ଅଶ୍ଳୀଳ କମେଣ୍ଟ ମାରୁଥିଲେ ସେମାନଙ୍କୁ ଅଟକ ରଖାଯାଇଛି | ଏହି ଘଟଣାକୁ ନେଇ ରୋଡ଼ ରୋମିଓଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି |

ସମ୍ବନ୍ଧିତ ଖବର