୩୦୦୦ ଫେରି ପାଇବା ପାଇଁ ୫୦ ବର୍ଷ, ୫ ମକଦ୍ଦମା

ନୂଆଦିଲ୍ଲୀ : ୩୦୦୦ ଟଙ୍କା ଫେରି ପାଇବା ପାଇଁ ହୋଇଥିବା ଏକ ଦେୱାନୀ ମକଦ୍ଦମାର ସମାଧାନ ପାଇଁ ଦୀର୍ଘ ୫୦ ବର୍ଷ ଲାଗିଯାଇଛି। ୫୦ ବର୍ଷରେ ଏହି ମାମଲାରେ ୫ଟି ମକଦ୍ଦମା ରୁଜୁ ହୋଇଛି। ମାମଲାର ଆରମ୍ଭ ୧୯୭୧ରେ ହୋଇଥିଲା।

ପଶ୍ଚିମବଙ୍ଗ ବନଗାଓଁ ଜିଲ୍ଲାର ରମା ରବି ଦେବୀ ନାମକ ଜଣେ ମହିଳା ୩୦୦୦ ଟଙ୍କା ଫେରି ପାଇବାପାଇଁ ଶାସାଧର ବିଶ୍ବାସ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମୁନସିଫ୍‌ କୋର୍ଟରେ ଏକ ଦେୱାନୀ ମାମଲା ରୁଜୁ କରିଥିଲେ। ୧୯୭୪ରେ ସେ ଏହି ମାମଲା ଜିତିଥିଲେ। ୬ଟି କିସ୍ତିରେ ବିଶ୍ବାସ ରମା ଦେବୀଙ୍କୁ ଟଙ୍କା ଦେବେ ବୋଲି କୋର୍ଟ କହିଥିଲେ। କିନ୍ତୁ ବିଶ୍ବାସ ଏହି ଟଙ୍କା ଫେରାଇ ପାରିନଥିଲେ। ପରେ ଦେବୀ ଅଦାଲତର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାପାଇଁ ଆଉ ଏକ ମକଦ୍ଦମା ରୁଜୁ କରିଥିଲେ। ୧୯୭୫ରେ ଅଦାଲତଙ୍କ ରାୟ ଆସିଲା ଏବଂ ଜମି ବିକ୍ରି ପାଇଁ ଘୋଷଣା ହୋଇଥିଲା। କିନ୍ତୁ ବିଶ୍ବାସ ଏହାକୁ ଚ୍ୟାଲେଞ୍ଜ୍‌ କରି ଅଦାଲତଙ୍କ ଦ୍ବାରସ୍ଥ ହେଲେ। ପାଟନାରେ ଦୀର୍ଘ ବର୍ଷ ଧରି ମକଦ୍ଦମା ଚାଲିଲା ଏବଂ ପରିଶେଷରେ ସେମାନେ ସୁପ୍ରିମକୋର୍ଟ ଗଲେ। ଏବେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ ଏଥିସହ ୫୦ ବର୍ଷ ଧରି ଚାଲିଥିବା ବିବାଦର ଶେଷ ହୋଇଛି। ମଙ୍ଗଳବାର ଦିନ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ, ଏହି ମାମଲା ଆଇନ ଛାତ୍ର ପାଠ୍ୟକ୍ରମର ଅଂଶବିଶେଷ ହେବା ଉଚିତ।

ସମ୍ବନ୍ଧିତ ଖବର