ଓଜନ ଓ ମାପ ଉପକରଣ ନିର୍ମାତାଙ୍କୁ ୬୩ଟି କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବୈଧ ମାପ ବିଜ୍ଞାନ ବିଭାଗ ଜରିଆରେ ଓଜନ ଓ ମାପ ଉପକରଣ ନିର୍ମାତା ଓ ରପ୍ତାନିକାରୀଙ୍କୁ ୬୩ଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏସବୁ ନୋଟିସ ଜରିଆରେ ସେମାନଙ୍କଠାରୁ ଅନୁପାଳନ ବିବରଣୀ ମଗାଯାଇଛି। ବିଶେଷ କରି ଇ-କମର୍ସ ପ୍ଲାଟ୍‌ଫର୍ମରେ କାରବାର କରୁଥିବା ଉତ୍ପାଦନକାରୀ, ରପ୍ତାନିକାରୀ ଓ ବିକ୍ରେତାଙ୍କଠାରୁ ମଡେଲର ଅନୁମୋଦନ, ଉତ୍ପାଦନ, ରପ୍ତାନିକାରୀ/ଡିଲର ଲାଇସେନ୍ସ ଏବଂ ଓଜନ ନିକିତି ଯାଞ୍ଚର ବିବରଣୀ ମଗାଯାଇଛି।

କେତେକ ଓଜନ ଓ ମାପ ଉପକରଣ ଉତ୍ପାଦନକାରୀ ଓ ରପ୍ତାନିକାରୀ ଆଇନରେ ଥିବା ବ୍ୟବସ୍ଥାକୁ ପାଳନ ନ କରି ମଣିଷ ଓଜନ ମେସିନ ଏବଂ ରୋଷେଇ ଘର ସାମଗ୍ରୀର ଓଜନ ପାଇଁ ବ୍ୟବହୃତ ନିକିତି ଆଦି ବିକ୍ରି କରୁଛନ୍ତି। ଇ-କମର୍ସ ସାଇଟ୍‌ରେ ଏଭଳି ଅନଧିକୃତ ବିକ୍ରି କାରଣରୁ କେବଳ ଗ୍ରାହକମାନେ ଉଚିତ ସେବାରୁ ବଞ୍ଚିତ ହେଉନାହାନ୍ତି ବରଂ ସରକାର ମଧ୍ୟ ରାଜସ୍ୱ କ୍ଷତି ସହୁଛନ୍ତି।

ଗ୍ରାହକମାନଙ୍କ ହିତ ନିମନ୍ତେ, ବୈଧ ମାପ ଆଇନ ୨୦୦୯ ଅଧୀନରେ ଓଜନ ଓ ମାପ ଉପକରଣର ନିର୍ମାତା ଓ ରପ୍ତାନିକାରୀମାନେ ସେମାନଙ୍କର ଓଜନ ଓ ମାପ ଉପକରଣର ମଡେଲ (ଧାରା ୨୨) ପାଇଁ ଅନୁମତି ନେବାର ଆବଶ୍ୟକତା ରହିଛି। ସେହିପରି ଧାରା ୨୩ ଅନୁଯାୟୀ ସେମାନଙ୍କୁ ନିର୍ମାଣ ଲାଇସେନ୍ସ ଏବଂ ଧାରା ୧୯ ଅନୁଯାୟୀ ରପ୍ତାନିକାରୀ ପଞ୍ଜୀକରଣ କରାଇବା ଜରୁରି। ଏହାଛଡ଼ା ଧାରା ୨୪ ଅଧୀନରେ ଓଜନ ଓ ମାପ ଉପକରଣର ଯାଞ୍ଚ/ ଷ୍ଟାମ୍ପିଙ୍ଗ କରାଯିବାର ମଧ୍ୟ ଆବଶ୍ୟକତା ରହିଛି।

ଆହୁରି ବୈଧ ମାପ (ପ୍ୟାକେଜ ହୋଇଥିବା ଉତ୍ପାଦ) ନିୟମାବଳୀ ୨୦୧୧ର ବ୍ୟବସ୍ଥା (ନିୟମ ୬) ଅନୁଯାୟୀ ଓଜନ ଏବଂ ମାପ ଉପକରଣ ସମ୍ପର୍କରେ ଆଗୁଆ ପ୍ୟାକେଜିଂ ବେଳେ କିମ୍ବା ଇ-କମର୍ସ ପ୍ଲାଟ୍‌ଫର୍ମରେ ଘୋଷଣାନାମା ପ୍ରଦାନ କରିବାର ଆବଶ୍ୟକତା ରହିଛି।

ନିର୍ମାତା ଓ ଉତ୍ପାଦନକାରୀମାନେ ନିର୍ମାଣ, ରପ୍ତାନି, ବିକ୍ରି ଓ ବିତରଣ ହେଉଥିବା ଓଜନ ଓ ମାପ ଉପକରଣ ସଂଖ୍ୟାର ରେକର୍ଡ ରଖିବା କଥା। ଏସବୁ ସାମଗ୍ରୀର ଯାଞ୍ଚ ପାଇଁ ସରକାରଙ୍କୁ ପଇଠ କରାଯାଉଥିବା ଶୁଳ୍କର ରେକର୍ଡ ମଧ୍ୟ ରଖାଯିବା ଜରୁରି। ବୈଧ ମାପ ଆଇନର ଏହିସବୁ ବ୍ୟବସ୍ଥାର ଉଲ୍ଲଙ୍ଘନ କ୍ଷେତ୍ରରେ ଧାରା ୩୨ (ମଡେଲ ପାଇଁ ମଞ୍ଜୁରି ନେବାରେ ବିଫଳତା), ଧାରା ୪୫ (ବିନା ଲାଇସେନ୍ସରେ ଓଜନ ଏବଂ ମାପ ଉପକରଣ ନିର୍ମାଣ), ଧାରା ୩୮ (ଓଜନ ବା ମାପ ଉପକରଣ ରପ୍ତାନିକାରୀମାନେ ପଞ୍ଜିକରଣ ନ କରିବା), ଧାରା ୩୩ (ଓଜନ ବା ମାପର ବିନା ଯାଞ୍ଚରେ ବ୍ୟବହାର) ଏବଂ ଧାରା ୩୬ (ଅଣ-ମାନକୀକୃତ ପ୍ୟାକେଜିଂ) ଅନୁଯାୟୀ ଜରିମାନା କିମ୍ବା ଜେଲ ଦଣ୍ଡ ବା ଉଭୟ ଦଣ୍ଡାଦେଶର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର