ହୁଆଏଇ ସମେତ ୭ ଚୀନା କମ୍ପାନିଙ୍କ ଉପରେ ଭାରତର ତୀକ୍ଷଣ ଦୃଷ୍ଟି, ସେନା ସହ ଭିତିରି ସଂପର୍କ ଥିବା ଅଭିଯୋଗ

ନୂଆଦିଲ୍ଲୀ : ୫୯ଟି ମୋବାଇଲ ଆପକୁ ନିଷିଦ୍ଧ କରିବା ପରେ କେନ୍ଦ୍ର ସରକାର  ଭାରତରେ କାମ କରୁଥିବା ଅନ୍ୟ ଚୀନ କମ୍ପାନିମାନଙ୍କ ଉପରେ ନଜର ପକାଇଛନ୍ତି । ଚୀନ ସେନା ସହିତ ସଂପର୍କ ଥିବା ଅଭିଯୋଗ ମିଳିବା ପରେ ସେଗୁଡ଼ିକ ଉପରେ ତୀକ୍ଷଣ ନଜର ରଖାଯାଇଛି ।

ଏବେ ସରକାର ୭ଟି ଚୀନା କମ୍ପାନି-ହୁଆଏଇ, ଆଲିବାବା, ଚାଇନା ଇଲେକ୍ଟ୍ରୋନିକ ଟେକନଲୋଜୀ ଗ୍ରୁପ, ଟେନସେଣ୍ଟ, ଏସଏଆଇସି ମୋଟର କର୍ପୋରେସନ, ଜିଣ୍ଡିଆ ଷ୍ଟିଲ୍ସ, ସିନଜିଂ କାଥେ ଇଣ୍ଟରନେସନାଲ ଉପରେ ନଜର ରଖିଛନ୍ତି । ଏହି କମ୍ପାନିଗୁଡ଼ିକ ସହ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ସମ୍ପର୍କ ଥିବା ସଂଦେହ କରାଯିବା ପରେ ସରକାରୀ ଏଜେନ୍ସି ଗୁଡ଼ିକ ସତର୍କ ହୋଇଉଠିଛନ୍ତି ଓ ଏହି ଅଭିଯୋଗ ସତ ପ୍ରମାଣିତ ହେଲେ ଏସବୁ କମ୍ପାନିମାନଙ୍କ ବିରୁଦ୍ଧରେ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବାର ସମ୍ଭାବନା ରହିଛି । ଏପରିକି ଏମାନଙ୍କୁ ଭାରତ ଛାଡ଼ିବାକୁ କୁହାଯାଇପାରେ ।

ଚୀନର ଟେଲିକମ ଉପକରଣ ନିର୍ମାତା କମ୍ପାନି ହୁଆଏଇକୁ  ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ଜାରି ରହିଛି । ପିଏଲଏ ସହ ଏହାର ସମ୍ପର୍କକୁ ନେଇ ଅନେକ ଦେଶ ଏହାକୁ ସଂଦେହ କରୁଛନ୍ତି । ଏହି କମ୍ପାନିର ପ୍ରତିଷ୍ଠାତା ରେନ ଜେନଫେଇ ଚୀନ ସେନାର ଇଂଜିନିୟରିଂ ଡିଭିଜନର ଜଣେ ପୂର୍ବତନ ଉପନିର୍ଦ୍ଦେଶକ ଥିଲେ । ନିକଟରେ ବ୍ରିଟେନ ନିଜ ଦେଶରେ ଚାଲିଥିବା ୫-ଜି ଦୌଡ଼ରୁ  ଏହି କମ୍ପାନିକୁ  ବାଦ ଦେଇଛି । ଜାପାନ, ଅଷ୍ଟ୍ରେଲିଆ, ଆମେରିକା ଆଦି ଦେଶ ମଧ୍ୟ ହୁଆଏଇ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂକେତ ଦେଇଛନ୍ତି ।

ସମ୍ବନ୍ଧିତ ଖବର