ଦିଲ୍ଲୀରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ୭ଦିନିଆ ହୋମ୍ କ୍ବାରେଣ୍ଟିନ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କରୋନାଭାଇରସ୍ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ବୁଧବାର ଦିନ ଦିଲ୍ଲୀ ସରକାର ଏକ ଆଦେଶନାମା ଜାରି କରି କହିଛନ୍ତି ଯେ, ଦିଲ୍ଲୀରେ ପହଞ୍ଚୁଥିବା କୋଭିଡ୍-୧୯ ଲକ୍ଷଣବିହୀନ ସମସ୍ତ ଯାତ୍ରୀ ୭ ଦିନ ସକାଶେ ହୋମ୍ କ୍ବାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ପୂର୍ବରୁ ଦିଲ୍ଲୀ ସରକାର ୧୪ ଦିନ ପାଇଁ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ଯାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।

ଏହି ନୂଆ ଆଦେଶ ଯେମିତି ସୁଚାରୁ ରୂପେ ପ୍ରବର୍ତ୍ତନ ହୁଏ ସେ ବିଷୟରେ ସୁନିଶ୍ଚିତ ହେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବାଧୀନ ଦିଲ୍ଲୀ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

Image Courtesy of News18

ଏହି ଆଦେଶନାମାରେ ସ୍ବାକ୍ଷର କରିଛନ୍ତି ଦିଲ୍ଲୀର ମୁଖ୍ୟ ଶାସନ ସଚିବ ତଥା ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ବିଜୟ ଦେବ। ଦୈନନ୍ଦିନ ଭିତ୍ତିରେ ରାଜସ୍ବ ବିଭାଗର ପ୍ରମୁଖ ସଚିବଙ୍କ କାର୍ଯ୍ୟାଳୟରେ ଯାତ୍ରୀମାନଙ୍କର ତାଲିକା ଦାଖଲ କରିବାକୁ ବିମାନ ବନ୍ଦର, ରେଳବାଇ ଏବଂ ପରିବହନ ବିଭାଗଙ୍କୁ ଏହି ଆଦେଶନାମାରେ କୁହାଯାଇଛି।

ରାଜସ୍ବ ବିଭାଗର ପ୍ରମୁଖ ସଚିବ ଏହି ସବୁ ଯାତ୍ରୀ ତାଲିକାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ପାଖକୁ ପଠାଇବେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପହଞ୍ଚିଥିବା ଯାତ୍ରୀମାନେ ୭ ଦିନ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଲେ ବୋଲି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସୁନିଶ୍ଚିତ କରାଇବେ।

ସମ୍ବନ୍ଧିତ ଖବର