ଆଗ୍ନେୟଗିରିରେ ପଡ଼ି ୮ ପର୍ବତାରୋହୀ ମୃତ

ମସ୍କୋ : ପୂର୍ବ ରୁଷ ସ୍ଥିତ କାମଚଟକା ଅଂଚଳରେ ଥିବା କ୍ଲ୍ୟୁଚେଭସ୍କାୟା ସୋପକା ଆଗ୍ନେୟଗିରିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏହି ଆଗ୍ନେୟଗିରିରେ ପଡ଼ି ୮ ଜଣ ରୁଷୀୟ ପର୍ବତାରୋହୀ ମୃତ୍ୟୁବରଣ କରିଛନ୍ତି ।

କ୍ଲ୍ୟୁଚେଭସ୍କାୟା ସୋପକା ଆଗ୍ନେୟଗିରି ହେଉଛି ୟୁରୋସିଆ ଅଂଚଳର ସର୍ବୋଚ୍ଚ ଜୀବନ୍ତ ଆଗ୍ନେୟଗିରି । ପ୍ରାୟ ୪୭୫୪ ମିଟର ଉଚ୍ଚ ଏହି ଆଗ୍ନେୟଗିରି ଉପରକୁ ଚଢିବାକୁ ଏକ ୧୨ ଜଣିଆ ରୁଷୀୟ ପର୍ବତାରୋହୀ ଦଳ ଗତ ଅଗଷ୍ଟ ୩୦ରେ ଉଦ୍ୟମ ଆରମ୍ଭ କରିଥିଲେ ।  ଶନିବାର ଜଣା ପଡ଼ିଥିଲା ଯେ ସେମାନଙ୍କ ମଧ୍ୟରୁ କେତେଜଣ ନିଖୋଜ ହୋଇଯାଇଛନ୍ତି । ଗତ ରବିବାର ଜଣାପଡ଼ିଥିଲା ଯେ ସେମାନଙ୍କ ମଧ୍ୟରୁ ୬ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ସୋମବାରଦିନ ସ୍ଥାନୀୟ ଗାଇଡ୍ ସୂଚନା ଦେଇଥିଲା ଯେ ଆଉ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଫଳରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଥିଲା । ପ୍ରାୟ ୪ ହଜାର ଫୁଟ ଉଚ୍ଚରୁ ଖସି ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଆହୁରି ଚିନ୍ତା ଜନକ ବିଷୟ ହୋଇଛି ଉକ୍ତ ୧୫ ଜଣିଆ ଦଳର ଅବଶିଷ୍ଟ ସଦସ୍ୟଙ୍କ ଅବସ୍ଥା ସଂପର୍କରେ ଏବେ ବି ଅଜ୍ଞାତ ରହିଛି । ସେମାନଙ୍କ ଉଦ୍ଧାର ପାଇଁ ରୁଷ ସରକାର ହେଲିକପ୍ଟର ନିୟୋଜିତ କରିଥିଲେ ବି ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି ।

ସୂଚନାଯୋଗ୍ୟ ଯେ, କେତେକ ସ୍ଥାନୀୟ ଆଦିବାସୀ ଏହି ଆଗ୍ନେୟଗିରିକୁ ପୂଜା କରନ୍ତି ।

ସମ୍ବନ୍ଧିତ ଖବର