୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ବନ୍ଦୀ କରିଛି କାତାର

ଭାରତ କୂଟନୈତିକ ଅଧିକାରୀ ପଠାଇବା ସତ୍ତ୍ବେ ସୁଫଳ ମିଳୁନାହିଁ

ନୂଆଦିଲ୍ଲୀ : ୮ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀଙ୍କୁ ଗତ ୭୪ ଦିନ ହେଲା ବନ୍ଦୀ କରି ରଖିଛି ଉପସାଗରୀୟ ଦେଶ କାତାର । ସେମାନଙ୍କୁ ଜେଲରେ ଏକୁଟିଆ ରଖାଯାଇ ପ୍ରବଳ ନିର୍ଯ୍ୟାତନା ଦିଆଯାଉଥିବା ସୂଚନା ମି​ଳିଛି । ଏହି ଅଧିକାରୀମାନଙ୍କ ମୁକ୍ତି ପାଇଁ ଭାରତ ସରକାର ଗତ କିଛି ସପ୍ତାହ ହେଲା କୂଟନୈତିକ ସ୍ତରରେ ଉଦ୍ୟମ ଚଳାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରିନାହିଁ ।

ଏହି ଅଧିକାରୀମାନେ ଗତ ୫ ବର୍ଷ ହେଲା କାତାରର ଏକ ରାଷ୍ଟ୍ରାୟତ୍ତ କମ୍ପାନି ଦାହରା ଇନ ଦୋହା ନାମକ କମ୍ପାନିରେ କାମ କରୁଥିଲେ । ଏହି କମ୍ପାନି କାତାର ନୌସେନାକୁ ତାଲିମ ଦେଇଥାଏ । ଏହି ଭାରତୀୟ ଅଧିକାରୀମାନେ କାତାର ନୌସେନାକୁ ତାଲିମ ଦେଉଥିଲେ । ମାତ୍ର ଗତ ଅଗଷ୍ଟ ମାସରେ କାତାର ସେନା ପକ୍ଷରୁ ସେମାନଙ୍କୁ ରାତି ଅଧିଆ ଗିରଫ କରିନିଆଯାଇଥିଲା ।

ସେମାନଙ୍କୁ କେଉଁ କାରଣରୁ ଗିରଫ କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ସେମାନଙ୍କ ଉପରେ ଗୁପ୍ତଚରବୃତ୍ତି ଅଭିଯୋଗ ଲଗାଯାଇଥିବା ସଂଦେହ କରାଯାଉଛି ।

ଭାରତ ସରକାରଙ୍କ ଉଦ୍ୟମକ୍ରମେ ଗତ ଅକ୍ଟୋବର ୩ ତାରିଖରେ ସେମାନଙ୍କୁ କନସୁଲାର ଆକସେସ ( ଦୂତାବାସ କର୍ମଚାରୀଙ୍କୁ ଭେଟିବା ସୁଯୋଗ) ପ୍ରଦାନ କରାଯାଇଥିଲା । ସେତେବେଳେ ଜଣାପଡ଼ିଥିଲା ଯେ ସେମାନଙ୍କୁ ସଲିଟାରି କନଫାଇନମେଣ୍ଟରେ ରଖାଯାଇଛି ଓ ପ୍ରବଳ ନିର୍ଯ୍ୟାତନା ଦିଆଯାଉଛି ।

ଏହି ଘଟଣା ଭାରତ ଓ କାତାର ମଧ୍ୟରେ ଏକ ବଡ଼ କୂଟନୈତିକ ବିବାଦର ରୂପ ନେଇଛି । ଅକ୍ଟୋବର ଶେଷ ସପ୍ତାହରେ ଭାରତର ଜଣେ କୂଟନୈତିକ ଅଧିକାରୀ କାତାର ଯାଇ ସେମାନଙ୍କ ମୁକ୍ତି ପାଇଁ ଉଦ୍ୟମ କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ ।

ସମ୍ବନ୍ଧିତ ଖବର