ବିଦେଶୀ ବିଶ୍ୱବିଦ୍ୟାଳୟରୁ ଡାକ୍ତରୀ ଡିଗ୍ରି ଧରି ଫେରୁଥିବା ୮୪ ପ୍ରତିଶତ ଭାରତୀୟ ଛାତ୍ରଛାତ୍ରୀ ଦେଶରେ ଡାକ୍ତରୀ ବୃତ୍ତି ପାଇଁ ଅଯୋଗ୍ୟ

ନୂଆଦିଲ୍ଲୀ: ଭାରତରେ ଡକ୍ତରୀ ପାଠ୍ୟକ୍ରମ ବା ଏମ୍‌ବିବିଏସ୍‌ ପଢ଼ିବା ପାଇଁ ମେଧାବୀ ଓ ଆଗ୍ରହୀ ଛାତ୍ରଛାତ୍ରୀଙ୍କର ସଂଖ୍ୟା ପ୍ରଚୁର। ହେଲେ, ଦେଶରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ମେଡିକାଲ କଲେଜମାନଙ୍କରେ ସିଟ୍‌ରେ ଘୋର ମରୁଡ଼ି। ଏହି କାରଣ ପାଇଁ ପ୍ରତ୍ୟେକ ବର୍ଷ ଏମ୍‌ବିବିଏସ୍‌ ପଢ଼ିବା ପାଇଁ ଆଗ୍ରହୀ ଥିବା ଦେଶର ହଜାର ହଜାର ଛାତ୍ରଛାତ୍ରୀ ଦେଶରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ସିଟ୍‌ ପାଇବାରୁ ବଞ୍ଚିତ ହେବାପରେ ଅନୋନ୍ୟପାୟ ହୋଇ ଏକାଧିକ ବିଦେଶୀ ରାଷ୍ଟ୍ରକୁ ଯାଉଛନ୍ତି ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପଢ଼ିବା ପାଇଁ।

ବିଦେଶରେ ଥିବା ମେଡିକାଲ କଲେଜମାନଙ୍କରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ପଢ଼ିବା ପାଇଁ ଏମାନଙ୍କୁ ୫ରୁ ୬ ବର୍ଷ କାଳ ବିଦେଶରେ ରହିବା ପାଇଁ ପଡ଼ୁଛି। ଏବଂ ଏଥିପାଇଁ ଟ୍ୟୁସନ ଫି’ ଓ ବିଦେଶରେ ରହଣି ବାବଦରେ ଭାରତୀୟ ମୁଦ୍ରାରେ ପ୍ରାୟ ୧ କୋଟି ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ହେଲେ, ବିଡ଼ମ୍ବନା ହେଲା ଏହି ଛାତ୍ରଛାତ୍ରୀମାନେ ଯେତେବେଳେ ବିଦେଶରୁ ସେମାନଙ୍କର ଏମ୍‌ବିବିଏସ୍‌ ଶିକ୍ଷା ସମାପ୍ତ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ସେତେବେଳେ ଏମାନଙ୍କ ମଧ୍ୟରୁ ୮୪ ପ୍ରତିଶତ ଭାରତରେ ଡାକ୍ତରୀ ବୃତ୍ତିରେ ନିୟୋଜିତ ହେବାକୁ ଅଯୋଗ୍ୟ ଘୋଷିତ ହେଉଛନ୍ତି।

News India

କାରଣ, ଭାରତର ଆଇନ୍‌ ବ୍ୟବସ୍ଥା କହୁଛି, ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଏମ୍‌ବିବିଏସ୍‌ ଶିକ୍ଷା ସମାପ୍ତ କରି ଡିଗ୍ରି ଧରି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ ପରେ ଭାରତରେ ଡାକ୍ତରୀ ବୃତ୍ତିରେ ନିୟୋଜିତ ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ସର୍ବପ୍ରଥମେ ‘ଫୋରେନ୍‌ ମେଡିକାଲ ଗ୍ରାଜୁଏଟ୍‌ ଏଗ୍ଜାମିନେସନ୍‌’ (ଏଫ୍‌ଏମ୍‌ଜିଇ) ବା ବିଦେଶୀ ଭେଷଜ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଏହି ପରୀକ୍ଷାକୁ ଜାତୀୟ ପରୀକ୍ଷା ବୋର୍ଡ ବା ନ୍ୟାସନାଲ ବୋର୍ଡ ଅଫ୍‌ ଏଗ୍ଜାମିନେସନ୍‌ (ଏନ୍‌ବିଇ) ସଂଚାଳନ କରିଥାଏ। ତେବେ, ପରିତାପର ବିଷୟ ହେଲା, ବିଦେଶୀ ବିଶ୍ୱବିଦ୍ୟାଳୟ ମାନଙ୍କରୁ ଏମ୍‌ବିବିଏସ୍‌ ଡିଗ୍ରୀଧାରୀ ୮୪ ପ୍ରତିଶତ ଭାରତୀୟ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରୁ ନାହାନ୍ତି। କେବଳ ମାତ୍ର ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲାଣ୍ଡ, ୟୁକେ ଏବଂ ୟୁଏସ୍‌ରୁ ଏମ୍‌ବିବିଏସ୍‌ ବା ତଦୁର୍ଦ୍ଧ ଡିଗ୍ରି ଧରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏହି ପରୀକ୍ଷା ଦେବାକୁ ପଡ଼ି ନଥାଏ।

ସମ୍ବନ୍ଧିତ ଖବର