ଆମେ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ଲଢ଼ିବୁ, ଆପ୍ ଏହି ଦୌଡ଼ରେ ନାହିଁ: ବିଜେପି

ନୂଆଦିଲ୍ଲୀ: ଆଗକୁ ଗୁଜରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପୂର୍ବରୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ହାତେଇବାକୁ କଂଗ୍ରେସ, ବିଶେଷ କରି ଆପ୍ ଅଧିକ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି। ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ଆପ୍ ଗୁଜରାଟବାସୀଙ୍କୁ ଖୁସି କରାଇବାକୁ ଚେଷ୍ଟା କରୁଥିବା ବେଳେ ଆମ ଲଢ଼େଇ ଆପ୍ ସହ ନୁହେଁ, ବରଂ କଂଗ୍ରେସ ସହ ବୋଲି କହିଛି ବିଜେପି।

ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ମଙ୍ଗଳବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଥିବା ବେଳେ ଏହା ପୂର୍ବରୁ ଆପକୁ ସମାଲୋଚନା କରି ଏଭଳି କହିଛି ବିଜେପି। “ଗୁଜୁରାଟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ। ଅତୀତରେ ଅନେକ ଦଳ ଗୁଜରାଟରେ ନିର୍ବାଚନ ଲଢ଼ିବାକୁ ଆସିଥିଲେ କିନ୍ତୁ କ୍ଷମତା ହାସଲ କରି ପାରିନଥିଲେ। ଏହି ଲଢ଼େଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେବ ଏବଂ ଏଥର ମଧ୍ୟ କଂଗ୍ରେସ ବହୁତ ପଛରେ ରହିଛି। ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବ୍ୟବଧାନରେ ଜିତିବ। ଏହି ନିର୍ବାଚନରେ ଆମେ ସର୍ବାଧିକ ସଂଖ୍ୟକ ଆସନ ପାଇବୁ ବୋଲି ଗୁଜରାଟ ବିଜେପିର ସାଧାରଣ ସମ୍ପାଦକ ପ୍ରଦୀପ ସିଂହ ବାଘେଲା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ରାତିରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଗୁଜରାଟ ଆସିବେ। ଆସନ୍ତାକାଲିଠାରୁ ତାଙ୍କର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାରେ ଅଛି। ସେ ନମୋ କିସାନ ପଞ୍ଚାୟତ, ରାଜକୋଟରେ ଜନ ପ୍ରତିନିଧି ସମ୍ମିଳନୀ, ମୋର୍ବିରେ ଏକ ବିଶାଳ ରୋଡ ସୋ ଏବଂ ଗାନ୍ଧିନଗରର ବୀରାଞ୍ଜଲୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର