ପ୍ରିୟଙ୍କା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ୨ ବର୍ଷ ହେଲା ବିନା ଲାଇସେନ୍ସର ଟ୍ରକ ଚଲାଉଥିଲା, ୪୮ ଘଣ୍ଟା ପୂର୍ବରୁ ଧରା ପଡ଼ିଥିଲା

ହାଇଦ୍ରାବାଦ: ହାଇଦ୍ରାବାଦ ଉପକଣ୍ଠରେ ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅଲ୍ଲୀ ଓରଫ୍ ଆରିଫ ଜଣେ ଟ୍ରକ୍ ଡ୍ରାଇଭର ଥିଲା। ତେବେ ସେ ବିନା ଲାଇସେନ୍ସରେ ୨ ବର୍ଷରୁ ଅଧିକ ସମୟ ହେଲା ଟ୍ରକ୍ ଚଲାଉଥିଲା। ଏପରିକି ଜଘନ୍ୟ ଅପରାଧ ଘଟାଇବାର ମାତ୍ର ୪୮ ଘଣ୍ଟା ପୂର୍ବରୁ ଧରା ପଡ଼ି ଅତି ଚତୁରତାର ସହ ଖସିଯାଇଥିଲା। ନଭେମ୍ବର ୨୫ରେ ମେହବୁବନଗରଠାରେ ଭିଜିଲାନ୍ସ ଏବଂ ପରିବହନ ବିଭାଗ ଦ୍ବାରା ଆରିଫ୍‌ ଧରା ପଡ଼ିଥିଲା। କିନ୍ତୁ ତାକୁ ଗିରଫ କିମ୍ବା ତା ଟ୍ରକକୁ ମଧ୍ୟ ଜବତ କରିପାରି ନଥିଲା। ଧରା ପଡ଼ିବାବେଳେ ଆରିଫ ଟ୍ରକ୍‌ର ସେଲ୍‌ଫ ଷ୍ଟାର୍ଟ କେବୁଲ୍‌କୁ କାଢ଼ି ଦେଇଥିଲା। ଯାହା ଫଳରେ ଟ୍ରକ୍ ଆଗକୁ ଗଡ଼ି ପାରି ନଥିଲା। କିନ୍ତୁ ପରେ ଅଧିକାରୀମାନେ ସେହି ସ୍ଥାନ ଛାଡ଼ି ଚାଲିଯିବା ପରେ ଆରିଫ ଟ୍ରକକୁ ସେହି ସ୍ଥାନରୁ ନେଇ ପଳାଇଥିଲା। ଲାଇସେନ୍ସ ନଥିବା ସତ୍ତ୍ବେ ଆରିଫ କିଭଳି ଘଟଣା ସ୍ଥଳରୁ ଖସି ପଳାଇଲା ପୁଲିସ ତାହାର ତଦନ୍ତ କରୁଛି।

ନଭେମ୍ବର ୨୪ରେ ଆରିଫ ଏବଂ ହେଲପର ଜୋଲୁ ଶିବା କର୍ଣ୍ଣାଟକରୁ ଟ୍ରକରେ ଇଟା ଭର୍ତ୍ତି କରି ଆଣି ହାଇଦ୍ରାବାଦ ଯାଉଥିଲେ। ଆରିଫ ଅନ୍ୟ ଦୁଇ ଅଭିଯୁକ୍ତ ଜୋଲୁ ନବୀନ ଏବଂ ଚିନ୍‌ତାକୁନ୍‌ତା ଚେନାକେଶବୁଲୁକୁ ଡାକିଥିଲା। ତେଲେଙ୍ଗାନାର ଗୁଡ଼ିଗାଣ୍ଡଲା ଗ୍ରାମ ନିକଟରେ ଭେଟିବାକୁ କହିଥିଲା। ସେଠାରୁ ସେମାନେ ଟ୍ରକରେ ଇଟା ଉପରେ ଓଭରଲୋଡ କରି ଷ୍ଟିଲ ଚ୍ୟାନେଲ ହାଇଦ୍ରାବାଦକୁ ଆଣିବା ଯୋଜନା କରିଥିଲେ। ଚିନ୍‌ତାକୁନ୍‌ତା ସେଠାରୁ ଗାଁକୁ ଫେରି ଯାଇଥିବାବେଳେ ଅନ୍ୟ ୩ ଅଭିଯୁକ୍ତ ସେଠାରୁ ହାଇଦ୍ରାବାଦ ଅଭିମୁଖେ ଯାଇଥିଲେ। ମେହବୁବନଗରରେ ଯିବା ସମୟରେ ଚେକିଂ ଟିମ୍ ହାବୁଡ଼ରେ ୨୫ ତାରିଖ ଭୋର ୪ଟାରେ ପଡ଼ିଥିଲେ। ଷ୍ଟିଲ ଚ୍ୟାନେଲକୁ ଅଭିଯୁକ୍ତମାନେ ରାଇକାଲ୍ ଟୋଲ ପ୍ଲାଜା ନିକଟରେ ୪ ହଜାର ଟଙ୍କାରେ ବିକ୍ରି କରିଥିଲେ। ଏହାପରେ ଅଭିଯୁକ୍ତମାନେ ୨୬ ତାରିଖ ସକାଳ ୯ଟାବେଳେ ସାମସାବାଦରେ ପହଞ୍ଚି ଯାଇଥିଲେ। ସେଠାରେ ରାସ୍ତାକଡ଼ରେ ଟ୍ରକ ପାର୍କ କରି ତା ଭିତରେ ‌ଶୋଇ ଯାଇଥିଲେ। ତା ପରଦିନ ସକାଳ ୯ଟାରେ ଏକ ପୁଲିସ ଟିମ୍ ଆସି ସେଠାରୁ ଟ୍ରକ ନେଇଯିବା ପାଇଁ କହିଥିଲା। ଏହାପରେ ସେମାନେ ଥୋଣ୍ଡୁପାଲି ଓଆରଆର ଟୋଲ ପ୍ଲାଜା ନିକଟରେ ଟ୍ରକ ରଖିଥିଲେ। ଏହି ସମୟରେ ତାଙ୍କ ଟ୍ରକ ନିକଟରେ ମହିଳା ପଶୁ ଡାକ୍ତର ଜଣକ ସ୍କୁଟି ପାର୍କ କରି ସେଠାରୁ ଅଫିସ ଯାଇଥିଲେ। ସେହି ସମୟରେ ଅଭିଯୁକ୍ତମାନେ ଅପରାଧର ନକ୍ସା ପସ୍ତୁତ କରିଥିଲେ। ଏହାପରେ ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ।

ସମ୍ବନ୍ଧିତ ଖବର