୨୯ ବର୍ଷ ପରେ ଅଯୋଧ୍ୟାରେ ମୋଦୀ

ଅଯୋଧ୍ୟା: ଦୀର୍ଘ ୨୯ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟା ଆସି ଶ୍ରୀରାମମନ୍ଦିରର ଶିଳାନ୍ୟାସ ଉତ୍ସବରେ ଯୋଗଦେଇଥିଲେ। ଶେଷ ଥର ପାଇଁ ସେ ୧୯୯୧ ମସିହା ଏପ୍ରିଲ ମାସରେ ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କ ସହିତ ଅଯୋଧ୍ୟାର ଉକ୍ତ ବିବାଦୀୟ ସ୍ଥଳ ଗସ୍ତ କରିଥିଲେ। ସେତେବେଳେ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଏବଂ ଜାମ୍ମୁକାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମନ୍ୟତା ପ୍ରତ୍ୟାହାର ଦାବିରେ ଯୋଶୀଙ୍କ ଆବାହକତ୍ବରେ ଜାରି ରହିଥିବା ତିରଙ୍ଗା ଯାତ୍ରାରେ ମୋଦୀ ସାମିଲ ହୋଇଥିଲେ। ଏହି ଅବସରରେ ଅଯୋଧ୍ୟା ରାମଜନ୍ମଭୂମି ସ୍ଥଳରେ ଉପସ୍ଥିତ ଥିବା କିଛି ସାମ୍ବାଦିକମାନଙ୍କ ଆଗରେ ଯୋଶୀ ମୋଦୀଙ୍କୁ ପରିଚିତ କରାଇବାକୁ ଯାଇ ସେ ଜଣେ ଗୁଜରାଟର ବିଜେପି ନେତା ବୋଲି କହିଥିଲେ। ଏତିକି ବେଳେ କିଛି ସାମ୍ବାଦିକ ମୋଦୀଙ୍କୁ ‘ଆଉ କେବେ ଅଯୋଧ୍ୟା ଆସିବେ’ ବୋଲି ପ୍ରଶ୍ନ କରିବାରୁ ରାମମନ୍ଦିର ନିର୍ମାଣ ଆରମ୍ଭ ହେଲେ ଆସିବେ ବୋଲି ମୋଦୀ ଉତ୍ତର ରଖିଥିଲେ। ସୁତରାଂ ୨୯ ବର୍ଷ ତଳେ ଶ୍ରୀ ମୋଦୀ ଦେଇଥିବା କଥା ଆଜି ରଖି ପାରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ସଂଯୋଗବଶତଃ ଆଜିର ଦିନରେ ବର୍ଷକ ତଳେ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଓ ଜାମ୍ମୁକାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର