ବିହାର ଉପନିର୍ବାଚନରେ ବିଜେପିର ବିଜୟ ପରେ ନୀତୀଶ କୁମାରଙ୍କୁ କଟାକ୍ଷ କଲେ ପ୍ରଶାନ୍ତ କିଶୋର

ପାଟନା: ବିହାରରେ ନିକଟରେ ଅନୁଷ୍ଠିତ ହୋଇଥିବା କୁରହାନି ଉପନିର୍ବାଚନରେ ବିଜେପିର ବିଜୟ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ‘ମହାଗଠବନ୍ଧନ’ ସରକାର ବିରୋଧରେ ଲୋକଙ୍କ କ୍ରୋଧର ପ୍ରତିଫଳନ ବୋଲି ନିର୍ବାଚନୀ ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋର ଦାବି କରିଛନ୍ତି।

ସଂପ୍ରତି ରାଜ୍ୟରେ ୩,୫୦୦ କିଲୋମିଟର ଲମ୍ବା ପଦଯାତ୍ରାରେ ଥିବା ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଛନ୍ତି ଯେ ବିହାରରେ ବ୍ୟାପକ ଦୁର୍ନୀତିରେ ସାଧାରଣ ଜନତା ଅତିଷ୍ଠ ଓ ବିରକ୍ତ ହୋଇ ପଡ଼ିଥିବା ଲୋକଙ୍କ ସହ କଥାବାର୍ତ୍ତା ସମୟରେ ସେ ଜାଣିବାକୁ ପାଉଛନ୍ତି।

ମୋତିହାରୀ (ପୂର୍ବ ଚମ୍ପାରନ୍‌)ର ଘୋଡାସାହାନ୍‌ ଅଞ୍ଚଳରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କାଳରେ ଶ୍ରୀ କିଶୋର କହିଛନ୍ତି, ‘ମହାଗଠବନ୍ଧନ ସରକାରଙ୍କ ପ୍ରଦର୍ଶନରେ ରାଜ୍ୟବାସୀ ଖୁସି ନୁହଁନ୍ତି। ମୁଁ ଗତ ଅନେକ ଦିନ ଧରି ଲୋକଙ୍କ ସହ କଥାବାର୍ତ୍ତା କରୁଛି, ଏବଂ ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କହିପାରିବି ଯେ ସେମାନେ ରାଜ୍ୟରେ ବ୍ୟାପକ ଦୁର୍ନୀତିରେ ବିରକ୍ତ ଏବଂ ଅତିଷ୍ଠ। କୁରହାନି ଉପନିର୍ବାଚନ ଫଳାଫଳ ନୀତୀଶ କୁମାରଙ୍କ ବିରୋଧରେ ଲୋକଙ୍କ କ୍ରୋଧର ପ୍ରତିଫଳନ’।

ଏହି ଉପନିର୍ବାଚନରେ ବିଜେପି ଶାସକ ‘ମହାଗଠବନ୍ଧନ’ ମଞ୍ଚରୁ କୁରହାନି ବିଧାନସଭା ଆସନକୁ ଛଡ଼ାଇ ନେଇଛି। ଡିସେମ୍ବର ୫ ତାରିଖରେ, ନିର୍ବାଚନର ଦୁଇ ଦିନ ପୂର୍ବରୁ କୁରହାନିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଚାର ଅଭିଯାନ ଆରମ୍ଭ କରିବା ସମୟରେ କ୍ରୋଧିତ ଜନତା ବିକ୍ଷୋଭ ପ୍ରଦର୍ଶନ କରିଥିଲା। ନୀତୀଶ କୁମାର ସଭାସ୍ଥଳରେ ପହଞ୍ଚିବା ପରେ ବିକ୍ଷୋଭକାରୀମାନେ ହଙ୍ଗାମା କରିଥିଲେ, ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ଚେୟାର ଫିଙ୍ଗି ଥିଲେ… ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲୋକଙ୍କ କ୍ରୋଧ ଏବେ ରାଜ୍ୟରେ ସବୁଆଡେ ଦେଖିବାକୁ ମିଳୁଛି। ପରିସ୍ଥିତି ଏମିତି ହୋଇଛି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁରକ୍ଷା କର୍ମୀଙ୍କ ବିନା ରାସ୍ତାରେ ଚାଲିପାରିବେ ନାହିଁ ବୋଲି ଶ୍ରୀ କିଶୋର ଦାବି କରିଛନ୍ତି।

୨୦୧୮ରେ ଜେଡି(ୟୁ)ରେ ଯୋଗ ଦେଇଥିବା ଏବଂ ଦୁଇ ବର୍ଷ ପରେ ଦଳରୁ ବହିଷ୍କୃତ ହୋଇଥିବା ପ୍ରଶାନ୍ତ କିଶୋର ତାଙ୍କର ଜନ ସୁରାଜ ଅଭିଯାନର ଏକ ଅଂଶ ଭାବରେ ବିହାରରେ ପଦଯାତ୍ରା କରୁଛନ୍ତି। ଏହି ପଦଯାତ୍ରାକୁ ତାଙ୍କର ସକ୍ରିୟ ରାଜନୀତିରେ ପୁନଃ ପ୍ରବେଶ ବୋଲି ପୂର୍ବାନୁମାନ କରାଯାଉଛି।

ସମ୍ବନ୍ଧିତ ଖବର