ଭ୍ୟାକ୍ସିନ ପ୍ରମାଣ ପତ୍ରରେ ମୋଦୀଙ୍କ ଫଟୋ ପରେ ଏବେ ରାସନ ପ୍ୟାକେଟରେ ବି ରହିବ ବିଜେପିର ନିର୍ବାଚନୀ ଚିହ୍ନ

ନୂଆଦିଲ୍ଲୀ: ଭ୍ୟାକ୍ସିନ ପ୍ରମାଣ ପତ୍ର ପରେ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗରିବ ଲୋକଙ୍କୁ ଦିଆଯାଉଥିବା ରାସନ ଉପରେ ବି ରହିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ। ଏନେଇ ବିଜେପି ଶାସିତ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି ବିଜେପି ମହାସଚିବ ଅରୁଣ ସିଂ । ଚିଠି ମୁତାବକ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ରାସନ ସାମଗ୍ରୀ ବଣ୍ଟନ ବେଳେ ଡିଲର ଦୋକାନ ଆଗରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀଙ୍କ ଫୋଟ ରହିବ । କେବଳ ସେତିକି ନୁହେଁ ଯେଉଁ ପ୍ୟାକେଟରେ ହିତାଧିକାରୀଙ୍କୁ ୫ କିଲୋ ଖାଦ୍ୟ ସାମଗ୍ରୀ ମିଳୁଛି ସେହି ଥଳିରେ ବି ବିଜେପିର ନିର୍ବାଚନୀ ଚିହ୍ନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅରୁଣ ସିଂ । ଏନେଇ ସବୁ ରାଜ୍ୟକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି କି କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର’ ପ୍ରଚାର ଜୋରଦାର କରାଯାଉ ।

ଏବେ ଦେଶରେ ଚାଲୁଥିବା କୋଭିଡ ନିରୋଧି ଭ୍ୟାକ୍ସିନ ଅଭିଯାନରେ ଟିକା ନେଉଥିବା ଲୋକଙ୍କୁ ଯେଉଁ ପ୍ରମାଣପତ୍ର ମିଳୁଛି ସେଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଫଟୋ ରହିଛି । ଏହାକୁ ବିରୋଧୀ ଦଳ ମାନେ ବିରୋଧ କରିଛନ୍ତି । ଏହାସହ ପଶ୍ଚିମବଙ୍ଗ ଓ ଛତିଶଗଡରେ ବିରୋଧୀ ଦଳ ଟିକା ପ୍ରମାଣପତ୍ରରୁ ମୋଦୀଙ୍କ ଫୋଟ ହଟାଇ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇଥିବା ଦେଖା ଯାଇଥିଲା ।

ବିଜେପି ମହାସଚିବ ଅରୁଣ ସିଂ ଲେଖିଥିବା ଚିଠିରେ କୁହାଯାଇଛି କି, ସମସ୍ତ ବିଜେପି ଶାସିତ ରାଜ୍ୟରେ ସବୁ ରାସନ ବିତରଣ କେନ୍ଦ୍ରରେ ମୋଦୀଙ୍କ ସହ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଏକ ବ୍ୟାନର ଲଗାଯାଉ । କେବଳ ଏତିକି ନୁହେଁ ବ୍ୟାନରର ଡିଜାଇନ ବି ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

ଏହାସହ ଅଣବିଜେପି ରାଜ୍ୟମାନଙ୍କୁ ବି ଚିଠି ଲେଖି ଏଭଳି କରିବା ପାଇଁ କୁହାଯାଇଛି । ହେଲେ ବିଜେପି ଶାସିତ ରାଜ୍ୟଭଳି ଅଣ ବିଜେପି ଶାସିତ ରାଜ୍ୟରେ ରାସନ ବିତରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଛବି ଥିବା ଫଟୋ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହ ସ୍ଥାନୀୟ ବିଧାୟକ କିମ୍ବା ସାଂସଦଙ୍କ ଫଟୋ ଥିବା ବ୍ୟାନର ଟାଙ୍ଗିିବାକୁ କୁହାଯାଇଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପ୍ରଚାର ପାଇଁ ଦଳୀୟ ନେତା ମାନଙ୍କୁ ସୋସିଆଲ ମିଡିଆର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି । କହିରଖୁ କି କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶର ୮୦ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ନଭେମ୍ବର ମାସ ପର୍ଯ୍ୟନ୍ତ ମାସିକ ୫ କେଜି ଚାଉଳ କିମ୍ବା ଗହମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର