ଡାକ୍ତରଖାନା ଯିବା ପରେ ମହିଳା ଜାଣିଲେ ସେ ପୁରୁଷ

କୋଲକାତା: ବୟସ ୩୦। ସୁସ୍ଥ ସବଳ ଶରୀର। ବିବାହିତା। ନଅ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଲଗାତାର ତଳି ପେଟ ଦରଜ ହେବାରୁ ସେ ଡାକ୍ତରଖାନା ଯାଇ ଜାଣିବାକୁ ପାଇଲେ ସେ ମହିଳା ନୁହନ୍ତି ପୁରୁଷ। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାରେ। କିଛି ମାସ ପୂର୍ବେ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଡାକ୍ତରଙ୍କ ପରାମର୍ଶ ପାଇଁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ହସ୍ପିଟାଲକୁ ଆସିଥିଲେ। ସେଠାରେ ଡାକ୍ତର ଅନୁପମ ଦତ୍ତ ଏବଂ ସୌମେନ୍‌ ଦାସଙ୍କ ଦ୍ବାରା ଚିକିତ୍ସିତ ହୋଇଥିଲେ। ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟରୁ ଜଣାପଡ଼ିଥିଲା ମହିଳାଜଣକ ବାସ୍ତବରେ ପୁରୁଷ। ଡାକ୍ତର ଦତ୍ତ କହିଛନ୍ତି, ଦେଖିବାକୁ ସେ ଅବିକଳ ମହିଳାଙ୍କ ପରି। ସ୍ବର, ସ୍ତନ, ଯୌନାଙ୍ଗ ଇତ୍ୟାଦି ମହିଳାଙ୍କ ଭଳି।

ହେଲେ ଜନ୍ମରୁ ତାଙ୍କ ଶରୀରରେ ଗର୍ଭାଶୟ ଏବଂ ଅଣ୍ଡାଶୟ ନାହିଁ। ତାଙ୍କର କେବେବି ଋତୁସ୍ରାବ ହୋଇ ନାହିଁ। ୨୨ ହଜାର ଲୋକଙ୍କ ମଧ୍ୟରେ ଏଭଳି ଗୋଟିଏ ‌କେସ୍‌ ମିଳିଥାଏ ବୋଲି ଡାକ୍ତର କହିଛନ୍ତି। ମହିଳାଙ୍କର ଆଉ ଜଣେ ୨୮ ବର୍ଷୀୟ ଭଉଣୀ ଅଛନ୍ତି। ତାଙ୍କୁ ପରୀକ୍ଷା କରିବା ପରେ ଜଣାପଡ଼ିଛି ସେ ମଧ୍ୟ ଭଉଣୀଙ୍କ ପରି। ଏଭଳି କ୍ଷେତ୍ରରେ ବ୍ୟକ୍ତି ଜେନେଟିକାଲି ପୁରୁଷ ହୋଇଥାଏ। କିନ୍ତୁ ଶରୀରର ସମସ୍ତ ବାହ୍ୟ ଅଙ୍ଗ ମହିଳାଙ୍କ ପରି। ଏହା ବଂଶଗତ ସମସ୍ୟାରୁ ହୋଇଥାଏ। ତେବେ ମହିଳାଙ୍କ ପରୀକ୍ଷାରୁ ଜଣାପଡ଼ିଛି, ସେ କର୍କଟ ରୋଗରେ ପୀଡ଼ିତ। ତେଣୁ ତାଙ୍କର ଏବେ କେମୋଥେରାପି ଚିକିତ୍ସା ଚାଲିଛି। ସେ କହିଛନ୍ତି, ମହିଳାଜଣକ ପିଲାବେଳୁ ମହିଳାଙ୍କ ଭଳି ଚଳି ଆସିଛନ୍ତି ଏବଂ ଜଣେ ପୁରୁଷ ସହ ୯ ବର୍ଷର ବୈବାହିକ ଜୀବନ ବିତାଇ ସାରିଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଆମେ କାଉନସଲିଂ କରୁଛୁ। ଭବିଷ୍ୟତରେ ସେମାନେ ପୂର୍ବ ଭଳି ଜୀବନ ବିତାଇବାକୁ ବୁଝାଶୁଝା କରାଯାଉଛି।

ସମ୍ବନ୍ଧିତ ଖବର