ମୋଦୀଙ୍କ ‘ମାଛ’ ବ୍ୟଙ୍ଗ ପରେ ମମତାଙ୍କ ‘ମାଆ-ମାଟି-ମାନୁଷ’

କୋଲକାତା: ମାଛ କେବଳ ବଙ୍ଗଳାରେ ଏକ ରୋଷେଇଘର ସାମଗ୍ରୀ ନୁହେଁ। ଅନେକ ବଙ୍ଗୀୟଙ୍କ ପାଇଁ ଏହା ଏକ ଜୀବନଶୈଳୀ ଏବଂ ଚଳିତ ନିର୍ବାଚନ ଋତୁରେ ତୃଣମୂଳ କଂଗ୍ରେସ ବିଜେପି ବିରୋଧରେ ଏହି ମାଛକୁ ଅସ୍ତ୍ର କରିଛି। ଗତ ସପ୍ତାହରେ ନବରାତ୍ରିରେ ମାଛ ଖାଇବାକୁ ନେଇ ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କଟାକ୍ଷ କରିବା ପରେ ତୃଣମୂଳର ‘ମାଆ-ମାଟି-ମାନୁଷ’ ସ୍ଲୋଗାନରେ ଆଉ ଏକ ଏମ୍ (ମାଛ)କୁ ଯୋଡ଼ାଯାଇଛି। ତେଜସ୍ୱୀ ସ୍ପଷ୍ଟ କରିଛନ୍ତି ଯେ ସେ ମାଛ ଖାଉଥିବାର ଭିଡିଓ କ୍ଲିପ୍ ଏପ୍ରିଲ ୯ରେ ଆରମ୍ଭ ହୋଇଥିବା ନବରାତ୍ରି ପୂର୍ବରୁ ଏପ୍ରିଲ ୮ ତାରିଖର ଥିଲା ଏବଂ ଏହା ବିଳମ୍ବରେ ପୋଷ୍ଟ କରାଯାଇଥିଲା।

ତେବେ ପଶ୍ଚିମବଙ୍ଗର ରାଜନୈତିକ ମଇଦାନରେ ମାଛ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ତୃଣମୂଳ ଆଶଙ୍କା ବ୍ୟକ୍ତ କରିଛି ଯେ ବିଜେପି କ୍ଷମତାକୁ ଫେରିଲେ ଲୋକଙ୍କ ଖାଦ୍ୟ ପସନ୍ଦ ଉପରେ ପ୍ରଭାବ ପଡ଼ିପାରେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୁଚବିହାରରେ ଏକ ସାଧାରଣ ସଭାରେ ଭୋଟରମାନଙ୍କୁ ସତର୍କ କରାଇ ଦେଇଛନ୍ତି, ଆପଣ ମଧ୍ୟାହ୍ନଭୋଜନ ଏବଂ ରାତ୍ରିଭୋଜନରେ କ’ଣ ଖାଇବେ ତାହା ସେମାନେ ନିର୍ଦ୍ଧାରଣ କରିବେ। ଏହି ଅବସରରେ ଟିଏମ୍‌ସି ଆରମ୍ଭ କରିଛି ‘ବିଜେପି ହଟାଓ, ମାଛ-ଭାତ ଖାଓ’ ଅଭିଯାନ। ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କୁଚବିହାରରେ ଅନ୍ୟ ଏକ ରାଲିରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବୋଧହୁଏ ଜାଣି ନ ଥିଲେ ଯେ ବଙ୍ଗଳା ପରିବାରରେ କିଛି ଧାର୍ମିକ ରୀତିନୀତି ମାଛ ଓ ମାଂସ ବିନା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ଅଭିଷେକ ବାନାର୍ଜୀଙ୍କ ପ୍ରଚାର ହେଲିକପ୍ଟରରେ ଯାଞ୍ଚ ବେଳେ ଆୟକର ଅଧିକାରୀମାନେ ମାଛ ସାଣ୍ଡ୍ୱିଚ୍ ଖୋଜୁଛନ୍ତି କି ବୋଲି ତୃଣମୂଳ ରାଜ୍ୟସଭା ସାଂସଦ ଡେରେକ୍ ଓ’ବ୍ରାଏନ୍ ପ୍ରଶ୍ନ କରିଛନ୍ତି। ନୂଆଦିଲ୍ଲୀରେ ଜଣେ ବରିଷ୍ଠ ତୃଣମୂଳ ସାଂସଦଙ୍କ ଦ୍ୱାରା ଆୟୋଜିତ ପହିଲା ବୈଶାଖ ପରବର୍ତ୍ତୀ ମଧ୍ୟାହ୍ନଭୋଜନରେ ରୋହି, ଭାକୁର ଓ ପାବଦା ମାଛ (କ୍ୟାଟ୍‌ଫିସ୍) ଭଳି ପ୍ରଜାତିର ମାଛ ତରକାରି ଦେଖିବାକୁ ମିଳିଥିଲା। ଭବିଷ୍ୟତରେ ହେବାକୁ ଥିବା ରାଲିରେ ତୃଣମୂଳ ବରିଷ୍ଠ ନେତାମାନେ ଏହି ବାର୍ତ୍ତାକୁ ସୁଦୃଢ଼ କରିବାକୁ ଯୋଜନା କରୁଥିବା ବେଳେ ‘ବିଜେପି ହଟାଓ, ମାଛ-ଭାତ ଖାଓ’ ଶୀର୍ଷକ ଅଭିଯାନ ଆରମ୍ଭ କରିଛନ୍ତି। ଏହାର ଜବାବରେ ବିଜେପି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଶମିକ ଭଟ୍ଟାଚାର୍ଯ୍ୟ ତୃଣମୂଳ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ ଆଣିଥିଲେ। ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା ହେଲା ନବରାତ୍ରି ସମୟରେ ଅନେକ ଲୋକ ଆମିଷ ଖାଦ୍ୟ ଖାଇ ନ ଥିଲେ। ମାଛ ବିରୋଧରେ ଆମେ କିଛି କହିନାହୁଁ। ବିଜେପି ଲୋକଙ୍କ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରି ତୃଣମୂଳ ଗୋମାଂସ ଖାଉଥିବା ଲୋକଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର