ହସ୍ପିଟାଲ୍‌ରୁ ବିଜୁଳି କଟିଯିବାରୁ ଚାଲିଗଲା ଭେଣ୍ଟିଲେଟର୍‌ରେ ଥିବା ୩ ଜଣ ରୋଗୀଙ୍କ ଜୀବନ

ମଦୁରାଇ: ତାମିଲନାଡୁର ମଦୁରାଇ ସରକାରୀ ହସ୍ପିଟାଲ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମଙ୍ଗଳବାର ରାତିରେ ହସ୍ପିଟାଲ୍‌ରୁ ଅଚାନକ ବିଜୁଳି କଟିଯିବା ହେତୁ ହସ୍ପିଟାଲ୍‌ରେ ଭେଣ୍ଟିଲେଟର୍‌ ଭିତରେ ରହି ଚିକିତ୍ସିତ ହେଉଥିବା ୩ ଜଣ ରୋଗୀଙ୍କ ଜୀବନ ଯାଇଛି। ଏପରି ଘଟିବା ପରେ ମୃତକମାନଙ୍କ ପରିବାର ଓ ସଂପର୍କୀୟମାନେ ହସ୍ଫିଟାଲ୍‌ ବାହାରେ ଧାରଣା ଦେଇଛନ୍ତି।

ମୃତକମାନେ ହେଉଛନ୍ତି ମଦୁରାଇସ୍ଥିତ ମେଲୁର ବାସିନ୍ଦା ମଲାଇକା(୫୫), ଦିନ୍ଦିଗୁଲସ୍ଥିତ ଓଟାଞ୍ଚତିରମର ପଲାନିୟାମାଲ(୬୦) ଓ ବିରୁଧୁନଗରସ୍ଥିତ ଶ୍ରୀଭିଲିପୁତୁରର ରାଭେନ୍ଦ୍ରନ(୫୨)।

ମୃତକଙ୍କ ସଂପର୍କୀୟଙ୍କ କହିବାନୁସାରେ, ତିନି ଜଣଙ୍କ ଜୀବନ ଯାଇଛି ଓ ଭେଣ୍ଟିଲେଟରରେ ଥିବା ଆହୁରି ଦୁଇ ଜଣ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ହସ୍ପିଟାଲ୍‌ରେ ବିଜୁଳି କଟିବା ପରେ ପ୍ରାୟ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଆଉ ଆସିନଥିଲା। ମଦୁରାଇରେ ବର୍ଷା ହେବା ହେତୁ ବିଜୁଳି କାଟ ହୋଇଥିଲା ବୋଲି ସୂଚନା ରହିଛି।

ଏହି ଘଟଣା ଘଟିବା ପରେ ୩ ଜଣ ମୃତକଙ୍କର ପ୍ରାୟ ୧୦୦ ଜଣ ସଂପର୍କୀୟ ହସ୍ପିଟାଲ୍‌ ସାମ୍ନାରେ ଧାରଣା ଦେଇଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର