ପୁଣି କଂଗ୍ରେସର ଅଡ଼ୁଆ ବଢ଼ାଇଲେ ସିଦ୍ଧୁ: ସୋନିଆଙ୍କୁ ଚିଠି ଲେଖିଲେ, ଚନ୍ନିଙ୍କ ଉପରେ ଚାପ ବଢ଼ିଲା

ପଞ୍ଜାବରେ ଦଳର ପୁନରୁତ୍ଥାନ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ସୋନିଆ ଗାନ୍ଧିଙ୍କୁ ୧୩ ଦଫା ଦାବି ସମ୍ବଳିତ ଏକ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ଉକ୍ତ ୧୩ଟି ପ୍ରସଙ୍ଗକୁ ଅଗ୍ରାଧିକାର ଦେବା ଜରୁରୀ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କୁ କହିଛନ୍ତି। ଡ୍ରଗ୍ସ ମାମଲାରେ ଗିରଫ ଠାରୁ ଆରମ୍ଭ କରି କୃଷି ଭିତ୍ତିଭୂମି ସୃଷ୍ଟି, ବାଲି ଏବଂ କେବୁଲ୍ ମାଫିଆଙ୍କୁ ଲଗାମ ଦେବା ପାଇଁ ସିଦ୍ଧୁ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି।

ପଞ୍ଜାବରେ କଂଗ୍ରେସ ଦଳର ପୁନରୁତ୍ଥାନ ପାଇଁ ଏହା ଶେଷ ସୁଯୋଗ ବୋଲି ସିଦ୍ଧୁ କହିଛନ୍ତି। ଏଥିସହିତ ରାଜ୍ୟରେ ଦଳକୁ ହୋଇଥିବା କ୍ଷତିର ଭରଣା ପାଇଁ ଏହା ଶେଷ ପଦକ୍ଷେପ। ତେଣୁ ରାଜ୍ୟ ସରକାର ଏସବୁ ଦାବି ଉପରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ସୋନିଆଙ୍କୁ ସିଦ୍ଧୁ ଲେଖିଥିବା ଉକ୍ତ ଚିଠି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହିତ ତାଙ୍କର ମତାନ୍ତରକୁ ଆହୁରି ବଢ଼ାଇ ଦେବାର ଆଶଙ୍କା ରହିଛି।

ସିଦ୍ଧୁ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କେ ସି ବେଣୁଗୋପାଳଙ୍କୁ ଭେଟିଥିଲେ। ତାହାପରେ ସେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଦେଇଥିବା ଇସ୍ତଫାପତ୍ରକୁ ‌ପ୍ରତ୍ୟାହାର କରିନେଇଥିଲେ। ଏହାର ପରଦିନ ଅର୍ଥାତ୍ ୧୫ ତାରିଖରେ ସିଦ୍ଧୁ ସୋନିଆଙ୍କୁ ଚିଠି ଲେଖିଛନ୍ତି। ଚିଠିକୁ ସିଦ୍ଧୁ ‌ଟ୍ବିଟରରେ ସେୟାର ମଧ୍ୟ କରିଛନ୍ତି। ଦେଶର ଧନୀ ରାଜ୍ୟ ପଂଜାବ ଏବେ ସବୁଠୁ ଋଣୀ ରାଜ୍ୟରେ ପରିଣତ ହୋଇଛି ‌ବୋଲି ସିଦ୍ଧୁ କହିଛନ୍ତି। ୧୩ ଦଫା ଦାବିଗୁଡ଼ିକର ପୂରଣ ପାଇଁ କାର୍ଯ୍ୟ କରିବା ନିମନ୍ତେ ସୋନିଆ ରାଜ୍ୟ ସରକାରଙ୍କୁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି। ଏଥିସହିତ ଆସନ୍ତାବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୧୩ ଦଫା ଦାବି ଉପସ୍ଥାପନ କରିବା ଲାଗି ସେ ସୋନିଆଙ୍କୁ ଭେଟିବା ଲାଗି ସମୟ ମାଗିଛନ୍ତି।

ସିଦ୍ଧୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କର ଜଣେ ବଡ଼ ସମାଲୋଚକ। କ୍ୟାପେଟନଙ୍କ ଇସ୍ତଫା ପରେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ରଖିଥିଲେ। କିନ୍ତୁ ଦଳ ଦଳିତ ଚେହେରା ଭାବେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀ ଏବଂ ପୁଲିସ ମୁଖ୍ୟ ଆଦି ପଦବିରେ ମୁଖ୍ୟମନ୍ତ୍ରୀ ଦେଇଥିବା ନିଯୁକ୍ତିକୁ ନେଇ ସିଦ୍ଧୁ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି। ନିକଟରେ ଚନ୍ନିଙ୍କ ପୁଅ ବାହାଘର ଭୋଜିରେ ସିଦ୍ଧୁ ଯୋଗ ଦେଇ ନଥିଲେ। ବର୍ତ୍ତମାନ ଚନ୍ନିଙ୍କୁ ୧୩ ଦଫା କାର୍ଯ୍ୟସୂଚୀ ଉପରେ କାର୍ଯ୍ୟ କରିବା ପାଇଁ ସଭାପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ସିଦ୍ଧୁ ଚିଠି ଲେଖି ଜଣାଇ ଦେଇଛନ୍ତି ଯେ ଚନ୍ନିଙ୍କ ସହିତ ତାଙ୍କର ବିବାଦ ତୁଟିନାହିଁ।

ସମ୍ବନ୍ଧିତ ଖବର