୬୪୦ ଅସହାୟ ଆଫଗାନୀଙ୍କୁ ବଞ୍ଚାଇଲେ ବାୟୁସେନା କର୍ମଚାରୀ

କାବୁଲ: କାବୁଲ ବିମାନ ବନ୍ଦରରେ ଗତକାଲି ହୃଦୟ ବିଦାରାକ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାଲିବାନ ବର୍ବରତାରୁ ବର୍ତ୍ତିବା ପାଇଁ କାବୁଲ ଛାଡ଼ିବାକୁ ଲୋକଙ୍କ ଆପ୍ରାଣ ଉଦ୍ୟମ ଭିତରେ ଗୁଳିମାଡ଼ ଓ ଦଳାଚକଟା ଯୋଗୁଁ ୫ ଜଣଙ୍କ ଜୀବନ ଯିବା ସତ୍ତ୍ବେ ଆତଙ୍କିତ ଲୋକେ ଆମେରିକା ବାୟୁସେନାର ଏକ ପରିବହନ ବିମାନକୁ ଘେରି ରହିଥିଲେ ଏବଂ ସେମାନଙ୍କ ଜୀବନ ରକ୍ଷା କରିବାକୁ ଆକୁଳ ନିବେଦନ କରିଥିଲେ। ତେବେ ଏଭଳି ସ୍ଥିତିରେ ବିନା କୌଣସି ଯାଞ୍ଚ ଏବଂ ଅନୁମୋଦନ ନଥାଇ ଏତେ ସଂଖ୍ୟକ ଲୋକଙ୍କୁ ଅନ୍ୟତ୍ର ନେବା ସମ୍ଭବ ନଥିଲା। ତେବେ ଅସହାୟ ପୁରୁଷ, ମହିଳା ଓ ଶିଶୁଙ୍କ କ୍ରନ୍ଦନ ଦେଖି ସାମରିକ ପରିବହନ ବିମାନର ପରିଚାଳକ ଦଳ ହଠାତ୍‌ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଥିଲେ ଏବଂ ବହୁତ ବଡ଼ ଚ୍ୟାଲେଂଜକୁ ଗ୍ରହଣ କରି ବିମାନରେ ଯାତ୍ରୀଙ୍କୁ ଚଢ଼ିବା ପାଇଁ ଅନୁମତି ଦେଇଥିଲେ।

ଏହି ବିମାନରେ ୬୪୦ ଜଣ ଯାତ୍ରୀ ଖୁନ୍ଦାଖୁନ୍ଦି ହୋଇ ବସିଯାଇଥିଲେ। ପରିବହନ ବିମାନ ସେମାନଙ୍କୁ ସୁରକ୍ଷିତ ନେଇ କତାରରେ ଅବତରଣ କରାଇଥିଲା। ଯେଉଁଠି ନିଜ ଦେଶର ରାଷ୍ଟ୍ରପତି ଲୋକଙ୍କୁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଛାଡ଼ି ଦେଇ ପଳାତକ ସାଜିଲେ ଏବଂ ଯେଉଁଠି ରକ୍ଷାକର୍ତ୍ତା ଆମେରିକା ମଧ୍ୟ ଲୋକଙ୍କ ଭାଗ୍ୟ ଓ ଭବିଷ୍ୟତକୁ ତାଲିବାନ ହାତରେ ଟେକିଦେଲା ସେଠାରେ ଏକ ଆମେରିକୀୟ ବିମାନର ପରିଚାଳକ ଦଳଙ୍କ ନିଷ୍ପତ୍ତି ୬୪୦ ଆଫଗାନ ନାଗରିକଙ୍କ ଜୀବନ ରକ୍ଷାକଲା। ଏହି ସାମରିକ ପରିବହନ ବିମାନର ପାଇଲଟ୍‌ କହିଛନ୍ତି, ଆମ ଉପରେ ସବୁ ଆଶା ରଖି ଆମର ଶରଣକୁ ଆସିଥିବା ଲୋକଙ୍କୁ ଆମେ ଗ୍ରହଣ କରିନେଇଥିଲୁ ଏବଂ ସେମାନଙ୍କୁ ବଞ୍ଚାଇବା ପାଇଁ ସବୁ ରିସ୍କ୍‌ ନେବାକୁ ପ୍ରସ୍ତୁତ ହୋଇଗଲୁ।

ସମ୍ବନ୍ଧିତ ଖବର