ରେଳଷ୍ଟେସନରେ ଫସିଥିବା ଟ୍ରେନରୁ ଯାତ୍ରୀଙ୍କୁ ଏୟାରଲିଫ୍ଟ କଲା ବାୟୁସେନା

ଗୌହାଟୀ: ଟ୍ରେନରେ ଫସିରହିଥିବା ଯାତ୍ରୀଙ୍କୁ ଏୟାରଲିଫ୍ଟ କଲା ଭାରତୀୟ ବାୟୁସେନା | ଆସାମର ଦିମା ହସାଓ ଜିଲ୍ଲାର ଡିଟୋକଚେରା ରେଳ ଷ୍ଟେସନରେ ଫସିରହିଥିବା ୧୫୬୧୬ ସିଲଚର-ଗୌହାଟୀ ଏକ୍ସପ୍ରେସରେ ଥିବା ଯାତ୍ରୀଙ୍କୁ ଏୟାରଲିଫ୍ଟ କରାଯାଇଛି | ଲଗାଣ ବର୍ଷା ଓ ଭୂସ୍ଖଳନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳପଥ ଏବଂ ସଡ଼କପଥ ସଂଯୋଗ ବିଚ୍ଛିନ୍ନ ହୋଇଛି। ଆଉ ଆଜି ଭାରତୀୟ ବାୟୁସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସୂଚନା ଥାଉ କି ଯେ ଆସାମର ଦିମା ହସାଓ ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେତୁ ଶନିବାର ଠାରୁ ଡିଟୋକଚେରା ରେଳ ଷ୍ଟେସନରେ ୧୫୬୧୬ ସିଲଚର-ଗୌହାଟୀ ଏକ୍ସପ୍ରେସ ଅଟକି ରହିଛି।

ଏହି ସଙ୍କଟ ସମୟରେ ଟ୍ରେନରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ବାୟୁସେନା ଏବଂ ସେନାକୁ ଡକାଯାଇଥିଲା। ରବିବାର ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ ଯେ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ନୂତନ କୁଞ୍ଜଙ୍ଗ, ଫିଆଙ୍ଗପୁଇ, ମୌଲହୋଇ, ନାମଜୁରଙ୍ଗ, ଦକ୍ଷିଣ ବାଗେତାର, ମହାଦେବ ଟିଲା, କାଲିବାଡୀ, ଉତ୍ତର ବାଗେତାର, ସିୟୋନ ଏବଂ ଲୋଦି ପଙ୍ଗମାଲ ଗ୍ରାମରେ ଭୂସ୍ଖଳନ ଘଟିଛି। ଏଠାରେ ପ୍ରାୟ ୮୦ ଟି ଘର ଭୂସ୍ଖଳନ ପାଇଁ ପ୍ରଭାବିତ ହୋଇଛି। ଭୂସ୍ଖଳନ ହେତୁ ଜଟିଙ୍ଗା-ହରଙ୍ଗାଜାଓ ଏବଂ ମାହୁର-ଫାଇଡିଙ୍ଗରେ ରେଳପଥ ନଷ୍ଟ ହୋଇଛି।

ସମ୍ବନ୍ଧିତ ଖବର