ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଗ୍ରାରୁ ଦିଲ୍ଲୀ ଆସୁଥିବା ମେମୁ ଟ୍ରେନ୍‌ର ସଞ୍ଚାଳନ ଦାୟିତ୍ୱରେ ଥିଲେ ୮ଜଣ ମହିଳା କର୍ମଚାରୀ

ଆଗ୍ରା : ଶୁକ୍ରବାର ସାରା ବିଶ୍ୱରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଏବଂ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲେ । ଅନ୍ତର୍ଜାତୀୟ ମହିଳା ଦିବସକୁ ପାଳନ କରିବା ପାଇଁ ଆଗ୍ରା ରେଲେଓ୍ଵ ଡିଭିଜନ ମଧ୍ୟ ଏକ ଭିନ୍ନ ଉପାୟ ଆପଣାଇଥିଲା ବୋଲି ଜଣା ପଡ଼ିଛି । ଏହି ଦିନ ଆଗ୍ରା ରେଲେଓ୍ଵ ଡିଭିଜନ ପୂରା ଟ୍ରେନ୍‌ର ସଞ୍ଚଳାନ ଦାୟିତ୍ୱ ୮ ମହିଳା କର୍ମଚାରୀଙ୍କୁ ଦେଇଥିଲେ । ସେମାନଙ୍କୁ ସମ୍ମାନ ଏବଂ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରମାଣ କରିବା ପାଇଁ ଏଭଳି କରିବାର ନିଷ୍ପତି ନେଇଥିଲା ଆଗ୍ରା ରେଲେଓ୍ଵ ଡିଭିଜନ ।

RailElectrica

ସୂଚନା ମୁତାବକ, ୧୦ଟି ବଗି ବିଶିଷ୍ଟ ମେମୁ ଟ୍ରେନ୍‌ ସମୟ ପ୍ରାୟ ଅପରାହ୍ନ ୪ଟା ୧୫ମିନିଟ୍‌ରେ ଆଗ୍ରାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହି ଟ୍ରେନ୍‌ର ସଞ୍ଚାଳନ ଦାୟିତ୍ୱରେ ୮ଜଣ ମହିଳା କର୍ମଚାରୀ ରହିଥିଲେ । ସେମାନଙ୍କ ମଧ୍ୟରେ ୩ଜଣ ଟିଟିଇ, ୩ଜଣ ଆର୍‌ପିଏଫ୍‌ କନେଷ୍ଟବଳ, ଜଣେ ଟ୍ରେନ୍‌ ଚାଳକ ଏବଂ ଜଣେ ଗାର୍ଡ ଥିଲେ ବୋଲି ଜଣା ପଡ଼ିଛି । ଆଗ୍ରାର ଅତିରିକ୍ତ ଡିଭିଜନ ରେଳ ପ୍ରବନ୍ଧକ ଦିଲୀପ କୁମାର ସିଂହଙ୍କ କହିବା ଅନୁଯାୟୀ, ଆମେ ମହିଳା ଏବଂ ପୁରୁଷମାନଙ୍କ ମଧ୍ୟରେ କେବେ ବି ପାର୍ଥକ୍ୟ କରି ନାହୁଁ । ସେମାନେ ନିଜ ନିଜର କାମ ଖୂବ୍‌ ଦାୟିତ୍ୱର ସହ କରିଥାନ୍ତି । ଶୁକ୍ରବାର ମଧ୍ୟ ମେମୁ ଟ୍ରେନ୍‌ର ସଞ୍ଚାଳନ ଦାୟିତ୍ୱ ୮ଜଣ ମହିଳା କର୍ମଚାରୀଙ୍କୁ ଦିଆ ଯାଇଥିଲା ଏବଂ ସେମାନେ ନିଜ ନିଜର କାମ ସୂଚାର ରୁପେ ତୁଲାଇ ଥିଲେ ।

ସମ୍ବନ୍ଧିତ ଖବର