ଲଦାଖରେ ଶୀତକାଳୀନ ଗ୍ରେଡ୍‌ ଡିଜେଲ୍‌ ଯୋଗାଣର ଶୁଭାରମ୍ଭ

(-) ୩୩ ଡିଗ୍ରି ତାପମାତ୍ରାରେ ବି ରହିପାରିବ, ଲଦାଖରେ ହେବ ସର୍ବବୃହତ ସୌର ପ୍ରକଳ୍ପ

ନୂଆଦିଲ୍ଲୀ/ଭୁବନେଶ୍ୱର : ଲଦାଖରେ ଆଇଓସିଏଲ୍‌ ଦ୍ବାରା ତିଆରି ହୋଇଥିବା ସ୍ବତନ୍ତ୍ର ଶୀତକାଳୀନ ଗ୍ରେଡ୍‌ ଡିଜେଲ୍ ଯୋଗାଣର ଶୁଭାରମ୍ଭ ହୋଇଛି। ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ଡିଜେଲ ଯୋଗାଣ ସେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଶ୍ରୀ ଶାହ କହିଛନ୍ତି, ପେଟ୍ରୋଲିୟମ୍‌ ମନ୍ତ୍ରାଳୟର ଏହି ଐତିହାସିକ ପଦକ୍ଷେପ ଦ୍ବାରା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଏହି ପଦକ୍ଷେପ ଫଳରେ ଆଗାମୀ ଦିନରେ ଲଦାଖର ବିକାଶରେ ବହୁତ ବଡ଼ ପରିବର୍ତ୍ତନ ହେବ। ଶ୍ରୀ ଶାହ ଆହୁରି କହିଥିଲେ, ଆଗାମୀ ୪ ବର୍ଷ ମଧ୍ୟରେ ଲଦାଖରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଦେଶର ସର୍ବବୃହତ ୭୫୦୦ ମେଗାୱାଟ୍‌ର ସୌର ପ୍ରକଳ୍ପ ଶେଷ ହେବ। ଏହାଦ୍ବାରା ଲଦାଖର କେବଳ ବିକାଶ ହେବ ନାହିଁ, ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

‌‌ତୈଳ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟି କାରଣରୁ ଦେଶରେ ପ୍ରଥମ ଥର ପାଇଁ ଏପରି ପଦକ୍ଷେପ ନିଆଯାଇ ପାରିଛି।

ଉଲ୍ଲେଖଯୋଗ୍ୟ, ଶୀତ ଋତୁରେ ଲଦାଖରେ ପାରଦ ବିଯୁକ୍ତ ଡିଗ୍ରି ରହିବାରୁ ଡିଜେଲ୍‌ ବରଫ ହୋଇଯାଉଥିଲା। ଫଳରେ ଏହି ଅଞ୍ଚଳରେ ଡିଜେଲ ଚାଳିତ ଗାଡ଼ି ବନ୍ଦ ହେବା ଫଳରେ ବ୍ୟବସାୟ ଠପ୍‌ ହେବା ସହ ପର୍ଯ୍ୟଟନରେ ବାଧା ଉପୁଜିଥିଲା। ମାତ୍ର ଆଇଓସିଏଲ୍‌ ଦ୍ବାରା ନିର୍ମିତ ସ୍ବତନ୍ତ୍ର ଶୀତକାଳୀନ ଗ୍ରେଡ୍‌ ଡିଜେଲ୍‌ (-)୩୩ ଡିଗ୍ରି ତାପମାତ୍ରାରେ ମଧ୍ୟ ରହିପାରିବାର କ୍ଷମତା ରହିଛି। ଏହାକୁ ଆଇଓସିଏଲ୍‌ର ପାନିପଥ ରିଫାଇନାରିରେ ତିଆରି କରାଯାଇଛି।

ସମ୍ବନ୍ଧିତ ଖବର