ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ: ମୃତ୍ୟୁବରଣ କରିଥିବା ୬ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ ଆନ୍ଧ୍ର ସରକାର

ଗୁଣ୍ଟୁର: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କାଭାନିଦିବା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଥିଲା। ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଆଜି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହ ୬ଜଣଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି | ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ |

ତେବେ ୬ଜଣ ମୃତକମାନେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଭୀମପୁର ପଞ୍ଚାୟତ ଝୁମ୍ପାପୁର ଗ୍ରାମର ରାମମୂର୍ତ୍ତି ଗମାଙ୍ଗ, ଫୁଲପୁଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର, ଗୁଣପୁର ସହର ମୋତିଲାଲ ନଗରର ନବୀନ ଶବର ଓ ଗଜପତି ଜିଲ୍ଲା ଜିରାଙ୍ଗ ଗ୍ରାମର ମହେନ୍ଦ୍ର ଶବର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ସୂଚନା ମିଳିଛି।

ସୂଚନା ମୁତାବକ, ୩ ମାସ ତଳେ ଦଲାଲଙ୍କ ମାଧ୍ୟମରେ ଗୁଣପୁର ଓ ଗଜପତି ଅଞ୍ଚଳର ୧୨ ଶ୍ରମିକ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲେ। ଶ୍ରମ ବିଭାଗର ଅଜାଣତ‌ରେ ଏବଂ ବିନା ପଞ୍ଜୀକରଣରେ ଶ୍ରମିକମାନେ ଗୁଣ୍ଟୁର ଜିଲ୍ଲାର ଲଙ୍କାଭାନିଦିବା ସହରର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଗତକାଲି ରାତିରେ ଶ୍ରମିକମାନେ ରେଷ୍ଟ୍ ହାଉସ୍‌ରେ ଶୋଇଥିବାବେଳେ ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଶ୍ରମିକମାନେ ଶୋଇଥିବା କୋଠରିରେ କେମିକାଲ୍ ଥିବାରୁ ନିଆଁ ଉଗ୍ର ରୂପ ଧାରଣ କରିଥିଲା। ଫଳରେ ନିଆଁ ଧାସ ଭିତରୁ ଶ୍ରମିକମାନେ ବାହାରି ନପାରି ଶୋଇଥିବା ଅବସ୍ଥା‌ରେ ହିଁ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଅଗ୍ନିକାଣ୍ଡ ସଂପର୍କରେ ଜାଣିବା ପରେ ଗୁଣ୍ଟୁର ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ଶବ ରେଷ୍ଟ୍ ହାଉସ୍ ଭିତରୁ ବାହାର କରି ବ୍ୟବଚ୍ଛେଦ ପାଇଁ ଗୁଣ୍ଟୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା |

ସମ୍ବନ୍ଧିତ ଖବର