ଜୀବନଧରି ଫେରିଥିବାରୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ : ପଞ୍ଜାବ ଛାଡ଼ିବା ପୂର୍ବରୁ ମୋଦୀଙ୍କ ବୟାନ

ସୁରକ୍ଷାରେ ବିଭ୍ରାଟ କାରଣରୁ ଅଧାରୁ ପଂଜାବ ଗସ୍ତ ବାତିଲ କଲେ ମୋଦୀ

ନୂଆଦିଲ୍ଲୀ : ବୁଧବାର ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି । ପାଗ ଖରାପ ହେବାରୁ ସଡ଼କପଥରେ ଫିରୋଜପୁର ଯାଉଥିବା ମୋଦୀଙ୍କ କ୍ୟାରିକେଡକୁ ଏକ ଫ୍ଲାଏଓଭର ଉପରେ ବିକ୍ଷୋଭକାରୀମାନେ ଅଟକାଇ ଦେଇଥିଲେ । ଏହା ଫଳରେ ମୋଦୀଙ୍କ ଗାଡ଼ି ପ୍ରାୟ ୧୫ ମିନିଟ୍ ଅଟକି ରହିଥିଲା ।

ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଗସ୍ତ ରଦ୍ଦ କରାଯାଇ ତାଙ୍କୁ ଭଟିଣ୍ଡା ଏୟାରପୋର୍ଟ ଫେରାଇ ଅଣାଯାଇଥିଲା । ଏହି ଘଟଣାରେ ଭୀଷଣ ବିରକ୍ତ ହୋଇଥିବା ମୋଦୀ ଜଣେ ଏୟାରପୋର୍ଟ କର୍ମଚାରୀଙ୍କୁ କହିଥିଲେ “ମୁଁ ଜୀବିତ ଭଟିଣ୍ଡା ଏୟାରପୋର୍ଟ ପହଞ୍ଚିପାରିଥିବାରୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ“ ।

ମୋଦୀ ଫିରୋଜପୁର ଯାଇ ସେଠାରେ ୪୨,୭୫୦ କୋଟିର ପ୍ରକଳ୍ପର ଶିଳାନ୍ୟାସ କରିବାର ଥିଲା । ସେ ହେଲିକପ୍ଟରରେ ହୁସେନିଓ୍ବାଲା ସ୍ଥିତ ଜାତୀୟ ସହିଦ ମେମୋରିଆଲକୁ ଯିବାର ଥିଲା । କିନ୍ତୁ ପାଗ ଖରାପ ହେବାକୁ ସେ ସଡ଼କ ପଥରେ ଯାଉଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଏହି ବିଭ୍ରାଟ ସମଗ୍ର ଦେଶରେ ଚର୍ଚ୍ଚାର କାରଣ ହୋଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଏହି ଘଟଣା ସଂପର୍କରେ ଅସନ୍ତୋଷ ପ୍ରକଟ କରିବା ସହ ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ମାଗିଛି ।

ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତିତ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟ ସରକାରଙ୍କୁ ଆଗୁଆ ସୂଚନା ଦିଆଯାଇଥିଲା । ଏହା ସତ୍ତ୍ବେ ପଂଜାବ ସରକାର ସଡ଼କ ପଥରେ ପ୍ରଧାନମନ୍ତ୍ରୀଙ୍କ କ୍ୟାରିକେଡ୍ ଯିବାକୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରିନଥିଲେ ବୋଲି ଅଭିଯୋଗ କରାଯାଇଛି ।

ସମ୍ବନ୍ଧିତ ଖବର