‘ଖୋଲନାହିଁ ନୋଟିସ ଲେଖାହୋଇଥିବା ଇମେଲ, ତୁରନ୍ତ କରିଦିଅ ଡିଲିଟ’- ସେନା ଦେଲା କିଛି ଏଭଳି ଚେତାବନୀ

ନୂଆଦିଲ୍ଲୀ: ସାଇବର ଅପରାଧିଙ୍କ ଟାର୍ଗେଟରେ ଏବେ ଭାରତୀୟ ସେନା | ଶୁକ୍ରବାର ରାତିରେ ଭାରତୀୟ ସେନା ଉପରେ ସାଇବର ଅପରାଧୀମାନେ ଆକ୍ରମଣ କରିଛନ୍ତି | ଏହା ପରେ ତିନି ସେନା( ସ୍ଥଳ ସେନା, ନୌସେନା ଓ ବାୟୁସେନା) ଏହାର କର୍ମଚାରୀ ଓ ଅଧିକାରୀଙ୍କୁ ଚେତାବନୀ ଜାରି କରିଛି | ସେନା ପକ୍ଷରୁ କୁହାଯାଇଛି ଯେ ‘ନୋଟିସ’ ଶୀର୍ଷକ ଥିବା ଇମେଲକୁ ଖୋଲନ୍ତୁ ନାହିଁ |

ଜରୁରୀ ଚେତାବନୀ ସୂଚନା ଭାବରେ କିଛି ସାଇବର ଅପରାଧୀ ବା ହାକରସ [email protected] ନାମକ ମେଲ ଆଇଡ଼ିରୁ ଅଧିକାରୀ ଓ କର୍ମଚାରୀଙ୍କ ମେଲ ଆକାଉଣ୍ଟକୁ ପଠାଇଛନ୍ତି | ଏଭଳି କିଛି ମେଲ ଆସିଥିଲେ ତାହାକୁ ନ ଖୋଲି ଡିଲିଟ କରିଦେବାକୁ ସେନା ପକ୍ଷରୁ କୁହାଯାଇଛି | ଏହା ପଛରେ ପାକିସ୍ତାନ ବା ଚୀନର ହାତ ଥିବା ଆଶଙ୍କା କରାଯାଉଛି | ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ବାରମ୍ବାର ସାଇବର ଆକ୍ରମଣ ହେବାରେ ଲାଗିଛି ଏହାକୁ ନେଇ ସାଇବର ୟୁନିଟ ଆଲର୍ଟ ହୋଇଯାଇଛି |

ସରକାର ସେନା ପାଇଁ ଡିଫେନ୍ସ ସାଇବର ଏଜେନ୍ସି ସ୍ଥାପନ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛନ୍ତି | ଏହି ଏଜେନ୍ସି ଚୀନ ଓ ପାକିସ୍ତାନ ପକ୍ଷରୁ ହେଉଥିବା ସାଇବର ଆକ୍ରମଣକୁ ପ୍ରତିହତ କରିବାକୁ ସୃଷ୍ଟି କରାଯିବ | ଏଠାରେ ସୂଚନା ଥାଉ କି ପାକିସ୍ଥାନୀ ଗୁପ୍ତଚରମାନେ ସୈନ୍ୟଙ୍କ ମୁତୟନ ସଂଖ୍ୟା ସହ ପୂର୍ବତନ ସୈନ୍ୟଙ୍କ ବାବଦରେ ତଥ୍ୟ ସଂଗ୍ରହରେ ଲାଗିପଡିଛନ୍ତି | ୨୦୧୬ ମସିହାରେ ଜଣାପଡିଥିଲା ଯେ ସାଇବର ଆକ୍ରମଣକାରୀମାନେ ଭାରତର ବୁଡ଼ାଜାହାଜ ସ୍କର୍ପିନର କ୍ଷମତା ବାବଦରେ ତଥ୍ୟ ଥିବା ହଜାର ହଜାର ଫାଇଲ ଚୋରି କରିବାରେ ସଫଳ ହୋଇଥିଲେ | ତେବେ ଭାରତୀୟ ନୌସେନା ପକ୍ଷରୁ କୁହାଯାଇଥିଲା ଯେ ଏହି ସଵୁ ଫାଇଲରେ କୌଣସି ଗୋପନୀୟ ତଥ୍ୟ ନଥିଲା |

ସମ୍ବନ୍ଧିତ ଖବର