କାଶ୍ମୀରରେ ଏବର୍ଷ ୧୪୨ ଆତଙ୍କବାଦୀ ଶିକାର କରିଛି ସେନା, ଟାର୍ଗେଟରେ ଆହୁରି ୨୫୦

ନୂଆଦିଲ୍ଲୀ : କାଶ୍ମୀରରେ ରକ୍ତମୁଖା ହୋଇ ଉଠିଛି ଭାରତୀୟ ସେନା ଓ ସୁରକ୍ଷାବାହିନୀ । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏକ ଭୟଙ୍କର ଅଭିଯାନ ଗତ ଦୁଇ ବର୍ଷ ହେଲା ଚାଲିଛି । କିନ୍ତୁ ଏବର୍ଷ ଆରମ୍ଭରୁ ଯେତିକି ଆତଙ୍କବାଦୀ ମଲେଣି, ମନେହେଉଛି ଏବର୍ଷ ରେକର୍ଡ ଭାଙ୍ଗିବ ସେନା । ମିଳିଥିବା ସୂଚନା ଅନୁସାରେ ଏ ବର୍ଷରେ ଆଜିସୁଦ୍ଧା କାଶ୍ମୀରରେ ୧୪୨ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ବୋଲି ସୂଚନାଦେଇଛନ୍ତି ସିଆରପିଏଫ ଡିଜି ଆର.ଆର.ଭଟ୍ଟନାଗର । ତେବେ ଘାଟିରେ ଆହୁରି ପ୍ରାୟ ୨୦୦ରୁ ୨୫୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ଏମାନଙ୍କୁ ବି ନିପାତ କରିଦିଆଯିବ ବୋଲି ସେ କହିଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି ହିଜବୁଲ ମୁଜାହିଦ୍ଦିନର ସମୀର ଟାଇଗର,ପାକିସ୍ତାନରୁ ଆସିଥିବା ଜୈଶ-ଇ-ମୁହମ୍ମଦର ଆତଙ୍କବାଦୀ ମୁଫତି ଓ୍ଵାକାସ ଓ ଲସ୍କର-ଇ-ତୋଇବାର ଅବୁ ହମାସ । ସେନାର ଏହି ସଫଳତା ପଛରେ ସରକାରଙ୍କ ବି ହାତ ରହିଛି । ଆତଙ୍କବାଦୀ ନିପାତ ପାଇଁ ସେନାର ହାତ ଖୋଲା କ୍ଷମତା ଦିଆଯାଇଛି । ଏପରିକି ଅପରେସନ ବେଳେ ପଥରମାଡ କରୁଥିବା ଲୋକମାନଙ୍କୁ ବି ସେନା ଆତଙ୍କବାଦି ହିସାବରେ ଗଣି ତାଙ୍କ ଉପରକୁ ଗୁଳି ଚଳାଉଛି । ୨୦୧୭ରେ କାଶ୍ମୀରରେ ଆତଙ୍କବାଦୀ ମୃତ୍ୟୁ ସଂଖ୍ୟା ୨୦୦ ଟପିଥିଲା । ୨୦୧୦ ପରେ ପ୍ରଥମ ଥର ପାଇଁ ଏହି ସଂଖ୍ୟା ୨୦୦ ଟପିଥିଲା । ୨୦୧୦ରେ ମୋଟ ୨୭୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ଏହା ପରେ ଏହି ସଂଖ୍ୟା କମିଚାଲିଥିଲା । ୨୦୧୬ରେ ୧୬୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । କିନ୍ତୁ ଏବର୍ଷ ଆରମ୍ଭରୁ ଯେତିକି ଆତଙ୍କବାଦୀ ମଲେଣି ତାହାକୁ ଦେଖିଲେ ଜଣାପଡୁଛି ଯେ ଡିସେମ୍ବର ସୁଦ୍ଧା ଏହି ସଂଖ୍ୟା ୩ଶହ ଟପିବ ।

ସମ୍ବନ୍ଧିତ ଖବର