ଜେଲ୍‌ରୁ ବାର୍ତ୍ତା ପଠାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ; ମୁଁ ଅରବିନ୍ଦ କେଜ୍ରିୱାଲ୍‌, ଅତଙ୍କବାଦୀ ନୁହେଁ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ଏବେ ତିହାର ଜେଲ୍‌ରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ମଙ୍ଗଳବାର ଆମ୍‌ ଆଦମୀ ପାର୍ଟି (ଆପ୍‌)ର ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ଏକ ବାର୍ତ୍ତା ପଠାଇଛନ୍ତି। ସେ ବାର୍ତ୍ତାରେ କେଜ୍ରିୱାଲ୍‌ ଲେଖିଛନ୍ତି, ‘‘ମୋର ନାମ ଅରବିନ୍ଦ କେଜ୍ରିୱାଲ ଏବଂ ମୁଁ ଆତଙ୍କବାଦୀ ନୁହେଁ’’।

ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀର ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଦୁର୍ବଳ କରିବା ପାଇଁ ୨୪ ଘଣ୍ଟା ଉଦ୍ୟମ କରାଯାଉଛି ବୋଲି ଆପ୍‌ ସାଂସଦ ଅଭିଯୋଗ କରିଛନ୍ତି।
ତାଙ୍କୁ ଆତଙ୍କବାଦୀ ପରି ବ୍ୟବହାର କରାଯାଉଛି। ତାଙ୍କ ନିକଟସ୍ଥ ଲୋକଙ୍କୁ ସଠିକ୍ ଭାବରେ ଭେଟିବାକୁ ଦିଆଯାଉ ନାହିଁ। ଏହା ସ୍ପଷ୍ଟ ଭାବରେ ଏକ ହୀନ ରାଜନୀତି। ଅରବିନ୍ଦ କେଜ୍ରିୱାଲ ନିଶ୍ଚିତ ଭାବରେ ବାହାରକୁ ଆସିବେ ବୋଲି ସଞ୍ଜୟ ସିଂହ ଦାବି କରିଛନ୍ତି।

ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ‘‘ଦେଶ ତଥା ଦିଲ୍ଲୀର ଲୋକଙ୍କ ପାଇଁ ପୁଅ ଏବଂ ଭାଇ ଭଳି କାମ କରୁଥିବା ଅରବିନ୍ଦ କେଜ୍ରିୱାଲ ଜେଲରୁ ଏକ ବାର୍ତ୍ତା ପଠାଇଛନ୍ତି ଯେ ‘ମୋର ନାମ ଅରବିନ୍ଦ କେଜ୍ରିୱାଲ ଏବଂ ମୁଁ ଆତଙ୍କବାଦୀ ନୁହେଁ’।’’

ସମାନ ମଦ ନୀତି ମାମଲାରେ ୬ ମାସ ଜେଲ୍‌ରେ ରହିବା ପରେ ଗତ ମାସ ଜାମିନ୍‌ ପାଇ ବାହାରକୁ ଆସିଛନ୍ତି ସଞ୍ଜୟ ସିଂହ। ସେ ଏପ୍ରିଲ୍‌ ୪ରେ ବାହାରକୁ ବାହାରିଛନ୍ତି।

ସମ୍ବନ୍ଧିତ ଖବର