ମିରଟ: ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ଅନ୍ତର୍ଗତ ସିନାଉଲି ଗାଁରେ ପ୍ରଥମ ଥର ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ କାଂସ୍ୟ ଯୁଗ ବା ‘ବ୍ରୋଞ୍ଜ୍ ଏଜ୍’ ସମୟ ଗୋଟାଏ ରଥର ଅଂଶ ବିଶେଷ ଖୋଳି ବାହାର କରିଛି। ଖ୍ରୀଷ୍ଟପୂର୍ବ ୨୦୦୦-୧୮୦୦ ହେଉଛି ନିର୍ଦ୍ଧାରିତ ‘ବ୍ରୋଞ୍ଜ୍ ଏଜ୍’ର ସମୟ ସୀମା। ସେ ଅଞ୍ଚଳର ସଭ୍ୟତା ଓ ସଂସ୍କୃତି ଉପରେ ଅଧିକ ଗବେଷଣା କରିବା ପାଇଁ ତମ୍ବାରେ କମକୁଟ କରାଯାଇଥିବା ଏହି ରଥାଂଶ ସୁଯୋଗ ଦେଇଛି ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ତିନି ମାସ ହେବ ପ୍ରତ୍ନତତ୍ତ୍ୱ ସମୃଦ୍ଧ ସେ ସ୍ଥାନକୁ ଉତ୍ଖନନ କରୁଥିବା ଏଏସ୍ଆଇ ଟିମ୍ ସୋମବାର ଦିନ ସେ ନୂତନ ଜିନିଷ କଥା ପ୍ରକାଶ କରିଛି।
ମାର୍ଚ ମାସରୁ ସେଠାରେ ଆରମ୍ଭ ହୋଇଥିବା ଉତ୍ଖନନ ସମୟରେ ଆଠଟି ମଶାଣି, ତିନୋଟି ଶବାଧାର, ଖଡ୍ଗ, ଭୁଜାଲି, ପାନିଅାଁ ଏବଂ ଅଳଙ୍କାର ଆଦି ମିଳିଛି। ମଶାଣି ଗାତରୁ ମଳିଛି ତିନୋଟି ରଥ। ଏହା ବ୍ୟତୀତ ସେଠାରୁ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀରୁ ଜଣାପଡୁଛି ଯେ ସେଠାରେ କୌଣସି ଯୋଦ୍ଧା ଶ୍ରେଣୀ ବାସ କରୁଥିଲେ।
ରଥ ଆବିଷ୍କାର ଆମକୁ ବ୍ୟାପକ ରଥ ବ୍ୟବହାର କରାଯାଉଥିବା ମେସୋପଟାମିଆ, ଗ୍ରିସ୍ ଆଦି ଅନ୍ୟାନ୍ୟ ପ୍ରାଚୀନ ସଭ୍ୟତା ସହ ସମକକ୍ଷ କରାଉଛି ବୋଲି ଉତ୍ଖନନର ସହ-ନିର୍ଦେଶ ଶେକ୍ ମଞ୍ଜୁଲ୍ କହିଛନ୍ତି।