ବନ୍ୟା ପରେ ଆସାମ-ବିହାରର ସ୍ଥିତି ସଙ୍ଗୀନ : ୧୫ ଦିନ ହେବ ପାଣି ଘେରରେ ଲୋକ, ବଢୁଛି ଦୁର୍ଦ୍ଦଶା
ପାଟନା : ବନ୍ୟା ପରେ ମଧ୍ୟ ଲୋକଙ୍କ ଜୀବନରେ ସୁଧାର ଆସିନି। ବିଗିଡ଼ି ଯାଇଛି ଆସାମ, ବିହାରର ଚିତ୍ର। ଚାରିଆଡ଼େ ବନ୍ୟା ପାଣି ହିଁ ପାଣି। ୧୫ ଦିନ ହେବ ପାଣି ଘେରରେ ଅଛନ୍ତି ଲୋକ। ପାଖରେ ଖାଇବାକୁ ନାହିଁ କି ମୁଣ୍ଡ ଗୁଂଜିବାକୁ ଘର ନାହିଁ। ରାସ୍ତା କଡ଼ରେ ସାହାରା ନେଇଛନ୍ତି ଲୋକେ। ସେପଟେ ପିଲାଙ୍କ ବହି ପତ୍ର, ସାର୍ଟିଫିକେଟ୍ ସବୁ ଧୋଇ ନେଇଛି ବନ୍ୟା ପାଣି। ତେବେ ଆସନ୍ତୁ ଜାଣିବା କିପରି ରହିଛି ବିହାର, ଆସାମର ବନ୍ୟା ପରର ପରିସ୍ଥିତି ।
Sambad is now on WhatsApp
Join and get latest news updates delivered to you via WhatsApp
ବନ୍ୟା ଭସାଇନେଲା ସବୁକିଛି । ମୁଣ୍ଡ ଗୁଂଜିବା ପାଇଁ ଲୋକଙ୍କ ପାଖରେ ନାହିଁ ଘର । ଘରଦ୍ୱାର ଆସବାବ ପତ୍ରଠୁ ନେଇ ପିଲାଙ୍କ ବହିପତ୍ର ଓ ସାର୍ଟିଫିକେଟ୍ ପର୍ଯ୍ୟନ୍ତ ସବୁ କିଛି ଭାସିଯାଇଛି । ଖୋଲା ଆକାଶ ତଳେ କଟୁଛି ବନ୍ୟା ପୀଡ଼ିତଙ୍କ ଦିନ । ଏହେଉଛି ବିହାର ମଧୁବାଣୀ ନରୁରାର ଗାଁର ଘଟଣା । ଚାରିଆଡ଼େ ଏବେ ବନ୍ୟା ପାଣି ଘେରି ରହିଛି । ବନ୍ୟା ସୁଅରେ ଭାଙ୍ଗିଯାଇଛି ଲୋକଙ୍କ ଘର । ଯେତିକି ଘର ରହିଛି ତାହା ମଧ୍ୟ ଲୋକ ରହିବା ଉପଯୋଗୀ ହୋଇନାହିଁ ।
ଭଙ୍ଗାଘର ତଳେ ଚାପି ହୋଇଯାଇଛି ସ୍ୱପ୍ନ । ପଢ଼ିବା ପାଇଁ ବହିଖାତା ଧୋଇ ନେଇଛି ବନ୍ୟା । ଏନସିସି ସାର୍ଟିଫିକେଟ୍ ମଧ୍ୟ ଧୋଇ ହେବା ସହ ଆର୍ମି କ୍ୟାମ୍ପକୁ ଯିବାକୁ ଥିବା ବ୍ୟକ୍ତିଙ୍କ ଇଛାଶକ୍ତି ଉପରେ ପ୍ରଳୟଙ୍କାରୀ ବନ୍ୟା ଦାଉ ସାଜିଛିି । ଏପରିକି ବନ୍ୟା ପୀଡିତଙ୍କ ପାଖରେ ନାହିଁ ଖାଦ୍ୟ । ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି । ଖାଦ୍ୟ ପାଇଁ ଡ଼ଙ୍ଗାରେ ନଦୀକୁ ଯାଇ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି ବନ୍ୟା ପ୍ରଭାବିତ ।
ସେପଟେ ପ୍ରଳୟଙ୍କାରୀ ବନ୍ୟା ପରେ ଆସାମର ବ୍ରହ୍ମପୁତ୍ର ନଦୀରେ କମୁଛି ଜଳସ୍ତର । ହେଲେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା । ଏପର୍ଯ୍ୟନ୍ତ ମୃ୍ତକଙ୍କ ସଂଖ୍ୟା ୭୧ରେ ପହଁଚିଥିବାବେଳେ ୧୯ଟି ଜିଲ୍ଲାର ୨୮ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ ଆସାମ ବନ୍ୟା ବିପନ୍ନଙ୍କୁ ସାହଯ୍ୟ କରିବା ପାଇଁ ଆବେଦନ କରିଛନ୍ତି ଅଭିନେତା ଅମିତାଭ ବଚ୍ଚନ । ଟ୍ୱିଟ୍ କରି ଅମିତାଭ ବନ୍ୟା ବିପନ୍ନଙ୍କୁ ସାହାଯ୍ୟ ପାଇଁ ଆବେଦନ କରିଛନ୍ତି ।
ଅପରପକ୍ଷରେ ମାୟାନଗରୀ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଗତକାଲିଠୁ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷା ପାଇଁ ମୁମ୍ବାଇର ଅଧିକାଂଶ ଅଂଚଳ ପାଣି ଘେରରେ ରହିଛି । ଆଗାମୀ ୨୪ଘଂଟା ଧରି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସ୍ଥାନୀୟ ପ୍ରଶାସନ ସହ ବିଏମସିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।