ପୃଥିବୀ ଠାରୁ ମାତ୍ର ୧୦୦୦ ଆଲୋକବର୍ଷ ଦୂରରେ ‘କୃଷ୍ଣଗହ୍ବର’ ଆବିଷ୍କାର କଲେ ଜ୍ୟୋତିର୍ବିଜ୍ଞାନୀ

ନୂଆଦିଲ୍ଲୀ: ପୃଥିବୀ ଠାରୁ ମାତ୍ର ୧୦୦୦ ଆଲୋକବର୍ଷ ଦୂରରେ‌ ଜ୍ୟୋତିର୍ବିଜ୍ଞାନୀମାନେ ଗୋଟାଏ ‘କୃଷ୍ଣଗହ୍ବର’ ଆବିଷ୍କାର କରିଛନ୍ତି। ‘କ‌ନ୍‌ଷ୍ଟେଲେସନ୍ ଟେଲିସ୍କୋପିଅମ୍’ ସାହାଯ୍ୟରେ ଦେଖାଯାଇଥିବା ଏହି କୃଷ୍ଣଗହ୍ବରଟି ‘ଏଚ୍‌ଆର୍ ୬୮୧୯’ ନାମକ ମହାଜାଗତିକ ଧାରାରେ ରହିଛି।

ଟେଲିସ୍କୋପ୍ ଯୋଗେ ଦେଖିବା ସମୟରେ ଏହି ଧାରାଟି ଗୋଟିକିଆ ଉଜ୍ଜ୍ବଳ ନକ୍ଷତ୍ର ପରି ଦୃଶ୍ୟମାନ ହେଉଥିଲା, କିନ୍ତୁ ପୂର୍ବରୁ ଏହି ଧାରାରୁ ନିର୍ଗତ ହୋଇଥିବା ଆଲୋକରୁ ଜଣାପଡ଼ିଲା ଯେ ସେଠାରେ ଦୁଇଟି ନକ୍ଷତ୍ର ବିଦ୍ୟମାନ ଅଛି।

ଏହି ତଥ୍ୟକୁ ବିଶ୍ଳେଷଣ କରି ସେମାନେ ଏହି ଧାରା ମଧ୍ୟରେ ପୃଥିବୀ ଠାରୁ ମାତ୍ର ୧୦୦୦ ଆଲୋକବର୍ଷ ଦୂରରେ ସୂର୍ଯ୍ୟ ଠାରୁ ୪ଗୁଣ ବସ୍ତୁତ୍ବବିଶିଷ୍ଟ ଗୋଟାଏ କୃଷ୍ଣଗହ୍ବର ଦେଖିଥିବା କଥା ଦାବି କରିଛନ୍ତି।

ଏ ସଂକ୍ରାନ୍ତରେ ୟୁରୋପିଆନ୍ ସଦର୍ଣ୍ଣ ଅବ୍‌ଜରଭେଟରିରେ ଥିବା ଏମିରଟ୍‌ସ୍‌ର ଜ୍ୟୋତିର୍ବିତ୍ ଡାଏଟ୍ରିଚ୍ ବାଡେ କହନ୍ତି, ଆମେ ଦୁଇଟି ତାରା ଦେଖିଲୁ। ସେଥିରୁ ଗୋଟିଏ ତାରା ୪୦ ଦିନ ସମୟସୀମାରେ ପରିକ୍ରମା କରୁଥିଲା। କିନ୍ତୁ ତା’ ମଧ୍ୟରେ ଥିଲା ଅନ୍ୟ ଏକ ଅଦୃଶ୍ୟ ବିଶାଳ ପଦାର୍ଥ। ଗୋଟାଏ କୃଷ୍ଣ ଗହ୍ବର।

ଏଠାରେ ପ୍ରକାଶଯୋଗ୍ୟ ଯେ ଗୋଟିଏ ପ୍ରକାଣ୍ଡ ନକ୍ଷତ୍ରର ମାଧ୍ୟାକର୍ଷଣୀୟ ପତ୍ତନରୁ କୃଷ୍ଣଗହ୍ବର ସୃଷ୍ଟି ହୁଏ।

 

ସମ୍ବନ୍ଧିତ ଖବର