ଲଦାଖରେ ତୁଷାରସ୍ଖଳନ: ପୋତି ହୋଇ ପଡ଼ିଛନ୍ତି ୧୦ ଲୋକ, ୪ ଗାଡ଼ି; ଉଦ୍ଧାର ଅଭିଯାନ ଜାରି

ଜମ୍ମୁ ଓ କଶ୍ମୀର: ଲଦାଖର ଖରଣ୍ଡୁଙ୍ଗରେ ତୁଷାରସ୍ଖଳନ ଯୋଗୁଁ ଅନ୍ୟୂନ ୧୦ ଜଣ ଲୋକ ପୋତି ହୋଇପଡ଼ିଛନ୍ତି।

ସେମାନଙ୍କୁ ଉଦ୍ଧାର କରିବାକୁ ସେନା ଓ ପୁଲିସ ମିଳିତ ତଲାସ ଅଭିଯାନ ଆରମ୍ଭ କରିଛନ୍ତି।

ଗୁରୁବାର ଦିନ କଶ୍ମୀର ଡିଭିଜନ୍‌ର ନଅଟି ଜିଲ୍ଲାରେ ସଦ୍ୟ ତୁଷାରସ୍ଖଳନ ସମ୍ପର୍କୀୟ ସତର୍କ ସୂଚନା ଜାରି କରାଯାଇଥିଲା। ସେ ଜିଲ୍ଲାଗୁଡ଼ିକ ହେଉଛି ଅନନ୍ତନାଗ, କୁଲଗାମ, ବୁଡ଼ଗାମ, ବାରମୂଳା, କୁପଓ୍ଵାଡ଼ା, ବନ୍ଦିପୋଡ଼ା, ଗାନ୍ଦେରବାଲ୍‌, କାର୍ଗିଲ୍‌ ଓ ଲେହ।

ତୁଷାରସ୍ଖଳନ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକମାନଙ୍କୁ ଉପଦେଶ ଦେବାକୁ କଶ୍ମୀରର ଡିଭିଜ୍‌ନାଲ୍‌ କମିସନର ବସୀର ଖାଁ ଏହି ସବୁ ଜିଲ୍ଲାର ଡେପ୍ୟୁଟି କମିସନର୍‌ମାନଙ୍କୁ କହିଥିଲେ।

ପାଣିପାଗ ବିଭାଗ ସୂଚନା ଅନୁସାରେ, କଶ୍ମୀର କେତେଗୁଡ଼ିଏ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଥିଲା। ଶ୍ରୀନଗରରେ ୫. ୪ ମିଲିମିଟର୍‌, ଗୁଲମାର୍ଗରେ ୧୫. ୨ ମିଲିମିଟର୍‌ ତୁଷାରପାତ ହେବା ସହ ଦକ୍ଷିଣ କଶ୍ମୀରର ପହଲଗାମ ଠାରେ ୯. ୦ ମିଲିମିଟର୍‌ ଏବଂ କୁପଓ୍ଵାଡ଼ାରେ ୧୬. ୨ ମିଲି ମିଟର୍‌ ତୁଷାର ପାତ ହୋଇଥିଲା।

ଜାନୁଆରି ୧୯ ରୁ ୨୩ ଯାଏଁ କଶ୍ମୀର ଉପତ୍ୟକାରେ ପ୍ରବଳ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ କହିଛି।

ସମ୍ବନ୍ଧିତ ଖବର