‘ସରକାର ଗଠନ ପାଇଁ ଆମେ କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶକୁ ଅପେକ୍ଷା କରିଛୁ’: ୟେଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ ୧୪ ମାସ ଧରି ଶାସନ କ୍ଷମତାରେ ରହିଥିବା ଏଚ୍‌ ଡି କୁମାରସ୍ୱାମୀଙ୍କର କଂଗ୍ରେସ- ଜେଡିଏସ୍‌ ମେଣ୍ଟ ସରକାର ଗତ ବୁଧବାର ସନ୍ଧ୍ୟାରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇ ଭାଙ୍ଗିଯିବା ପରେ ଏବେ କର୍ଣ୍ଣାଟକରେ ନୂତନ ସରକାର ଗଠନ ପାଇଁ ଅଙ୍କକଷା ଆରମ୍ଭ ହୋଇ ଯାଇଛି। ଏ ପରିପ୍ରେକ୍ଷୀରେ ବିଜେପି ନିକଟରେ ୧୦୫ ଜଣ ନିର୍ବାଚିତ ବିଧାୟକ ରହିଥିବା ବେଳେ କର୍ଣ୍ଣାଟକ ବିଜେପି ସଭାପତି ବି ଏସ୍‌ ୟେଦୁରପ୍ପା ଆଜି ଗଣମାଧ୍ୟମକୁ କହିଛନ୍ତି ଯେ କର୍ଣ୍ଣାଟକରେ ନୂତନ ସରକାର ଗଠନ ପାଇଁ ଆମେ ବିଜେପି କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶକୁ କେବଳ ମାତ୍ର ଅପେକ୍ଷା କରି ରହିଛୁ। ବିଜେପି କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶ ମିଳିବା ମାତ୍ରେ ଆମେ ରାଜ୍ୟପାଳଙ୍କ ନିକଟକୁ ଯାଇ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଆମର ଦାବୀ ଜଣାଇବୁ।

‘ମୁଁ କେବଳ ମାତ୍ର ଦିଲ୍ଲୀ କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶ ଅପେକ୍ଷାରେ ରହିଛି। ନିର୍ଦ୍ଦେଶ ମିଳିବା ମାତ୍ରେ ମୁଁ ଯେ କୌଣସି ମୁହୂର୍ତ୍ତରେ ଦଳୀୟ ବିଧାୟକମାନଙ୍କର ବୈଠକ ଡକାଇବି ଓ ରାଜଭବନ ଯାଇ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବୀ ଜଣାଇବି’ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ୟେଦୁରପ୍ପା।

ANI

ଅନ୍ୟପକ୍ଷରେ ଜାଣିବାକୁ ମିଳିଛି ଯେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପି ପାର୍ଲିଆମେଣ୍ଟାରୀ ବୋର୍ଡର ବୈଠକ ବସିବ ଏବଂ ଏହି ବୈଠକରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ ବାବଦରେ ନିଷ୍ପତ୍ତି ନିଆଯିବ।

ତେବେ ବରିଷ୍ଠ ବିଜେପି ବିଧାୟକ ଜେ ସି ମଧୁସ୍ୱାମୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି, ‘ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦଳର ଜଣେ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଧାୟକ ଦଳର ବୈଠକ ଡାକିବା ସହ ସର୍ବସମ୍ମତ୍ତି କ୍ରମେ ନୂତନ ନେତା ଚୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ଆମର ଏକ ଜାତୀୟ ଦଳ ଏଠାରେ ଯାହା ବି କିଛି ତାହା ସଂପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ପଦ୍ଧତିରେ ହେବ’ ବୋଲି କହିଛନ୍ତି ମଧୁସ୍ୱାମୀ।

ସମ୍ବନ୍ଧିତ ଖବର