ଅଯୋଧ୍ୟା ବିବାଦ: ମଧ୍ୟସ୍ଥତା ପ୍ରକ୍ରିୟା ଜାରି ରଖିବାକୁ ସୁପ୍ରିମ୍‌ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍‌ରୀ ମସ୍‌ଜିଦ୍ ଜମି ବିବାଦ ମାମଲାରେ ସୁପ୍ରିମ୍‌ କୋର୍ଟ ଆଜି ମଧ୍ୟସ୍ଥତା ପ୍ରକ୍ରିୟା ଜାରି ରଖିବାକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ମଧ୍ୟସ୍ଥି କମିଟି ଏ ସଂକ୍ରାନ୍ତ ରିପୋର୍ଟ ଅଗଷ୍ଟ ୧ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ କହିଛନ୍ତି ଯେ ମଧ୍ୟସ୍ଥତା କମିଟି ଦ୍ବାରା ଯେଉଁ ରିପୋର୍ଟ ଦାଖଲ କରାଯିବ ତାହା ଉପରେ ବିଚାର କରାଯିବା ପରେ ୨ ଅଗଷ୍ଟରେ ଏହି ମାମଲାରେ ନିୟମିତ ଶୁଣାଣି ହେବ କି ନାହିଁ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ। ପୂର୍ବ ବିଚାରପତି ଏଫ୍‌ଏମ୍‌ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟରେ ଥିବା ତଥ୍ୟ ଗୋପନ ରହିବ ବୋଲି ସମ୍ବିଧାନ ପୀଠ କହିଛନ୍ତି। ଏହି ପୀଠରେ ଥିବା ଅନ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ଏସ୍‌ କେ ବୋବଡେ, ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଏସ୍‌ଏ ନଜିର୍‌। ୩୧ ଜୁଲାଇ ପର୍ଯ୍ୟନ୍ତ କମିଟିର ପଦକ୍ଷେପ ଏବଂ ପ୍ରୟାସ ସଂପର୍କିତ ଚୂଡ଼ାନ୍ତ ରିପୋର୍ଟକୁ ୧ ତାରିଖ ଦିନ ସୁପ୍ରିମ୍‌ କୋର୍ଟରେ ଉପସ୍ଥାପନ କରାଯିବ ଏବଂ ଏହାର ଅନୁଧ୍ୟାନ ପରେ ଶୁଣାଣି ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର