ଅଯୋଧ୍ୟା ଜମି ବିବାଦ: ପ୍ରାଚୀନ ମନ୍ଦିରର ପ୍ରମାଣ ମାଗିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମ୍‌ କୋର୍ଟରେ ନିୟମିତ ଶୁଣାଣି ଜାରି ରହିଛି। ଆଜି ସମ୍ବିଧାନ ପୀଠ ବିବାଦୀୟ ସ୍ଥଳକୁ ନେଇ ହିନ୍ଦୁ ପକ୍ଷଙ୍କ ଦାବି ଉପରେ ଶୁଣାଣି କରିଥିଲେ। ଯେଉଁ ସ୍ଥାନରେ ବାବ୍ରି ମସ୍‌ଜିଦ୍‌ ନିର୍ମାଣ ହୋଇଥିଲା, ସେଠାରେ ପୂର୍ବରୁ ମନ୍ଦିର ଥିଲା ବୋଲି ହିନ୍ଦୁ ପକ୍ଷର ଯୁକ୍ତି ଉପରେ ଅଦାଲତ କହିଥିଲେ ଯେ ପୂର୍ବରୁ ସେଠାରେ ଏକ ପ୍ରାଚୀନ ମନ୍ଦିର ରହିଥିବା ନେଇ ଯେଉଁ ଯୁକ୍ତି ଦର୍ଶାଯାଉଛି ତାହାର ପ୍ରମାଣ ଦେବାକୁ ହେବ। ରାମ ଲାଲା ବିରାଜମାନର ଓକିଲ ସିଏସ୍ ବିଦ୍ୟାନାଥନଙ୍କୁ ଜଷ୍ଟିସ୍‌ ଡି. ୱାଇ. ଚନ୍ଦ୍ରଚୂଡ଼ କହିଥିଲେ, ହିନ୍ଦୁମାନଙ୍କ ଯେଉଁ ଧାର୍ମିକ ସ୍ଥଳ ଉପରେ ମସ୍‌ଜିଦ୍‌ ନିର୍ମାଣ ହୋଇଥିଲା ବୋଲି ଦର୍ଶାଯାଇଛି ସେ ବାବଦରେ ତଥ୍ୟ ପ୍ରମାଣ ଅଦାଲତରେ ଉପସ୍ଥାପନ କରିବାକୁ ହେବ। ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେ ସଂସ୍ଥା ଦ୍ବାରା ହୋଇଥିବା ଖନନରୁ ବିବାଦୀୟ ସ୍ଥଳରେ ପୂର୍ବରୁ ମନ୍ଦିର ରହିଥିବାର ପ୍ରମାଣ ମିଳିଛି ବୋଲି ରାମଲାଲା ବିରାଜମାନର ଓକିଲ କହିଥିଲେ। ଖନନରୁ ଯାହା ମିଳିଛି ତାହା ହିନ୍ଦୁମାନଙ୍କ ଆସ୍ଥାକୁ ଆହୁରି ଦୃଢ଼ କରିଛି ବୋଲି ବିଦ୍ୟାନାଥନ କହିଥିଲେ। ତେବେ ଏ କ୍ଷେତ୍ରରେ ପ୍ରମାଣଯୋଗ୍ୟ ତଥ୍ୟ ଅପେକ୍ଷା ହିନ୍ଦୁମାନଙ୍କ ଆସ୍ଥା ଓ ବିଶ୍ବାସ ସବୁଠାରୁ ମହତ୍ବପୂର୍ଣ୍ଣ ବୋଲି ସେ କହିଥିଲେ।
ପ୍ରତ୍ନତାତ୍ତ୍ବିକ ଖନନ ପରେ ସେଠାରେ ନିଆଯାଇଥିବା କେତେକ ଫଟୋକୁ ବିଦ୍ୟାନାଥନ ସମ୍ବିଧାନ ପୀଠକୁ ଦେଖାଇ ଥିଲେ। ଫଟୋରେ ଥିବା ମୂର୍ତ୍ତି ଏବଂ ସ୍ତମ୍ଭରୁ ସେଠାରେ ହିନ୍ଦୁ ଧର୍ମପୀଠ ଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର