ମଧ୍ୟସ୍ଥତା ଜରିଆରେ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ସମାଧାନ କରିବାକୁ ଚାହୁଁଛନ୍ତି ସୁନି ୱାକଫ୍ ବୋର୍ଡ ଏବଂ ନିର୍ବାଣୀ ଆଖଡା!

ନୂଆଦିଲ୍ଲୀ: ଆପୋସ ବୁଝାମଣା ଜରିଆରେ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ଲକ୍ଷ୍ୟରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି ନିଜର ଲକ୍ଷ୍ୟ ହାସଲରେ ଥରେ ଅସଫଳ ହୋଇଥିଲା।
ଏବେ ପୁଣି ସୂଚନା ମିଳୁଛି ଯେ, ଏହି ବିବାଦୀୟ ମାମଲାର ସମାଧାନ ପାଇଁ ପୁଣି ଥରେ ମଧ୍ୟସ୍ଥତାଲାଗି ପ୍ରୟାସ କରାଯିବ । ଦୀର୍ଘ ୨୨ ଦିନ ଶୁଣାଣି ବିତିଯାଇଥିବା ବେଳେ ଏବେ ଉଭୟ ପକ୍ଷ (ହିନ୍ଦୁ ଓ ମୁସଲିମ) ପୁଣି ଥରେ କୋର୍ଟ ବାହାରେ ଆଲୋଚନା କରିବାକୁ ଉଦ୍ୟମ କରୁଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି ଯେ ସୁନି ୱାକଫ୍ ବୋର୍ଡ ଏବଂ ନିର୍ବାଣୀ ଆଖାଡା ଆପୋସ ବୁଝାମଣା ଜରିଆରେ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଚାହୁଁଛନ୍ତି।
ସୂଚନାଯୋଗ୍ୟ ଏହି ପରିପ୍ରେକ୍ଷୀରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀଠ ଏହି ବିବାଦର ଚୂଡ଼ାନ୍ତ ଶୁଣାଣି ଗତ ମାସ ୬ ତାରିଖଠାରୁ ଦୈନନ୍ଦିନ ଭିତ୍ତିରେ କରୁଛନ୍ତି।

photo–aajtak

ଉଲ୍ଲେଖଯୋଗ୍ୟ, ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ଦିଗରେ କୌଣସି ସାମାନ୍ୟତମ ସୁଯୋଗକୁ ହାତଛଡ଼ା କରାଯିବ ନାହିଁ ବୋଲି ପୂର୍ବରୁ ସୁପ୍ରିମ୍ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ। ମାମଲା ସହ ସଂପୃକ୍ତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଆପୋସ ବୁଝାମଣା ଜରିଆରେ ଏହି ବିବାଦର ସମାଧାନ କରିବା ପାଇଁ ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କଲିଫୁଲ୍ଲା, ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନ୍ଜୀବୀ ଶ୍ରୀରାମ ପଞ୍ଚୁଙ୍କୁ ନେଇ ଏକ ତିନି ଜଣିଆ ମଧ୍ୟସ୍ଥି କମିଟି ଗଠନ କରିଥିଲେ।

ସମ୍ବନ୍ଧିତ ଖବର