ବାବା ରାମଦେବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ଅପମିଶ୍ରଣ ମାମଲାରେ ଫସିଲେ ଯୋଗଗୁରୁ

ହରିଦ୍ୱାର: ନିକଟରେ ବାବା ରାମଦେବଙ୍କ ଇ-କମର୍ସ ତଥା ଅନଲାଇନ ବଜାରରେ ଧମାକାଦାର ଏଂଟ୍ରି ମାରିବା ପରେ ଏବେ ଯୋଗଗୁରୁଙ୍କ ବିରୋଧରେ ଆସିଛି ଅପମିଶ୍ରଣ ଭଳି ଏକ ସଙ୍ଗୀନ ଅଭିଯୋଗ। ରାଜସ୍ଥାନରେ ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ ହେବା ପରେ ଯୋଗଗୁରୁ ଏନେଇ ହାଇକୋର୍ଟରେ ନିଜର ପକ୍ଷ ରଖିଛନ୍ତି। ଯାହାକୁ ଆଧାର କରି ହାଇକୋର୍ଟ ଉଭୟ ଅଭିଯୋଗକାରୀ ଏବଂ ରାଜ୍ୟ ସରକାରଙ୍କ ନିକଟକୁ ଏକ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି।

ପ୍ରକୃତ ଘଟଣାଟି ହେଲା, ରାଜସ୍ଥାନ ହାଇକୋର୍ଟ ଏସ କେ ସିଂହ ନାମକ ଜଣେ ବ୍ୟକ୍ତି ଏବଂ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଜବାବ୍‌ ମାଗଛନ୍ତି କି ସେ କାହିଁକି ଜାଲୁପୁରା ଥାନାରେ ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଯଦି କରିଛନ୍ତି ତେବେ ତାକୁ କାହିଁକି ଏଯାବତ୍‌ ଖାରଜ କରାଯାଇନାହିଁ। ତେବେ ଏହାର ଜବାବ ପାଇଁ ଅଦାତଲ ସେମାନଙ୍କୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦେଇଛି ।

ମାମଲା ଅନୁସାରେ, ଏସ କେ ସିଂହ ନାମକ ଜଣେ ବ୍ୟକ୍ତି କିଛି ଦିନ ତଳେ ଜାଲୁପୁରା ଥାନାରେ ପତଞ୍ଜଳୀ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୋଗ ଅନୁସାରେ, ପତଞ୍ଜଳୀର ଏକ ବିସ୍କୁଟ ଯେଉଁଥିରେ ବାବା ଦାବି କରିଛନ୍ତି କି ଏହା ଶତ ପ୍ରତିଶତ ଅଟାରେ ପ୍ରସ୍ତୁତ ଏବଂ ଏଥିରେ ମଇଦାର ବ୍ୟବହାର କରାଯାଇନାହିଁ। ଆଉ ଏହାର ବିଜ୍ଞାପନ ଆସ୍ଥା ଚ୍ୟାନେଲରେ ପ୍ରସାରିତ କରାଯାଇ ଲୋକଙ୍କୁ ଭ୍ରମିତ କରାଯାଉଛି। ତେବେ ବିସ୍କୁଟର ଶୁଦ୍ଧତା ଯାଂଚ କରିବା ପାଇଁ ଏହାର କାରଖାନରେ ଯାଂଚ କରାଯାଇଥିଲା। ଯେଉଁଥିରେ ଏହାର ନମୂନାରେ ତାଲମେଳ ଖାଉନଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ଭାରତୀୟ ଦଣ୍ଡବିଧାନର ଧାରା ୪୨୦ ଏବଂ ୧୨୦ବି ଅନୁସାରେ ବାବା ରାମଦେବ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ଦାଖଲ କରିଛି। ମାତ୍ର ଏହାକୁ ଖଣ୍ଡନ କରି ବାବା ରାମଦେବ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି।

ତେବେ ଯାଚିକାରେ ଏଫଆଇଆରକୁ ଚ୍ୟାଲେଂଜ ଦେଇ କୁହାଯାଇଛି ଯେ ଯାଚିକାକର୍ତ୍ତାଙ୍କର ବିଶ୍ୱସ୍ତରରେ ପ୍ରତିଷ୍ଠା ରହିଛି। କାରଖାନାରୁ ମିଳିଥିବା ରିପୋର୍ଟରେ ଏହା ଦର୍ଶାଯାଇନି କି ନମୂନାରେ କେତେ ମାତ୍ରାରେ ମଇଦା ରହିଛି। ଯାଚିକାରେ ଏକଥା ମଧ୍ୟ କହାଯାଇଛି ଯେ, ବିସ୍କୁଟ ପ୍ରସ୍ତୁତ କରିବା ପାଇଁ ଅଟାରେ ଅନ୍ୟ ସାମଗ୍ରୀ ମଧ୍ୟ ମିଶାଇବାକୁ ପଡ଼ିଥାଏ। ଏହାବ୍ୟତୀତ ଯଦି କିଛି ମାମୁଲି ଅପରାଧ ରହିଥାଏ ତେବେ ଏହା ଆଇପିସି ଧାରାରେ ନଯାଇ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ଆଉ ଏଥିପାଇଁ କୌଣସି ଏଫଆଇଆର ଦାଖଲ କରିବାର ଆବଶ୍ୟକତା ନାହିଁ। ଅଭିଯୋଗକାରୀ ଜାଣିଶୁଣି ପତଞ୍ଜଳୀର ପ୍ରତିଷ୍ଠାକୁ ଖରାପ କରିବା ପାଇଁ ଏଭଳି କାଣ୍ଡ କରିଛନ୍ତି ତେଣୁ ଏହି ଏଫଆଇଆରକୁ ରଦ୍ଦ କରିଦିଆଯାଉ ବୋଲି ବାବା ରାମଦେବଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର