ହ୍ବାଇଟ୍‌ ‌ହାଉସ୍‌ର ‘ତାରକା’ ତଥା ବାରାକ୍‌ ଓବାମାଙ୍କ ପାରିବାରିକ କୁକୁର ‘ବୋ’ର ମୃତ୍ୟୁ

ୱାସିଂଟନ୍‌: ଏକଦା ହ୍ବାଇଟ୍‌ ହାଉସ୍‌ରେ ଜନପ୍ରିୟ ବାସିନ୍ଦା ହୋଇଥିବା ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କର ପାରିବାରିକ କୁକୁର ‘ବୋ’ କର୍କଟ ରୋଗରେ ପୀଡ଼ିତ ହୋଇ ଶନିବାର ଦିନ ମୃତ୍ୟୁବରଣ କରିଛି। ତାକୁ ସ୍ମରଣ କରି ଓବାମା କହିଛନ୍ତି, ସେ ଥିଲା ଆମ ଜୀବନର ଚିର-ଆନନ୍ଦ ପ୍ରଦାୟକ।

ହ୍ବାଇଟ୍‌ ହାଉସ୍‌ର ବିଭିନ୍ନ କାର୍ଯ୍ୟକ୍ରମ, ବିଷେଶତଃ ‘ଆନୁଆଲ୍‌ ଇଷ୍ଟର୍‌ ଏଗ୍‌ ରୋଲ୍‌’ରେ ‘ବୋ’ ଉପସ୍ଥିତ ରହୁଥିଲା। ସେ ପୋପ୍‌ଙ୍କୁ ଭେଟୁଥିଲା, ଡାକ୍ତରଖାନା ଯାଇ ପିଲାମାନଙ୍କୁ ଦେଖା କରୁଥିଲା ଏବଂ ‘ଏୟାର୍‌ ଫୋର୍ସ ୱାନ୍‌’ରେ ବସି ଉଡୁଥିଲା।

Image Courtesy of Twitter

୨୦୦୮ ନିର୍ବାଚନରେ ଜିଣିଲେ କୁକୁରଟିଏ ଆଣି ଦେବେ ବୋଲି ଓବାମା ତାଙ୍କ ଝିଅ ମାଲିଆ ଏବଂ ସାସାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନରେ ବିଜୟୀ ହୋଇ ସପରିବାର ହ୍ବାଇଟ୍‌ ହାଉସ୍‌କୁ ଯିବା କ୍ଷଣି ଓବାମା ‘ବୋ’କୁ ଆଣିଥିଲେ। ‘ପର୍ତ୍ତୁଗୀଜ୍‌ ୱାଟର୍‌ ଡଗ୍‌’ (ପାଣିରୁ ଶିକାର ଧରି ଆଣିବା) ପ୍ରଜାତିର କଳାଧଳା କୁକୁର ‘ବୋ’କୁ ସିନେଟର୍‌ ଏଡ୍‌ୱାର୍ଡ କେନେଡି ଓବାମା ପରିବାରକୁ ଉପହାର ଦେଇଥିଲେ।

ହ୍ବାଇଟ୍‌ ହାଉସ୍‌ କରିଡର୍‌ରେ ସେ ଓ ‘ବୋ’ ଧାଉଁଥିବା ଏବଂ ପିଲାଏ ‘ବୋ’କୁ ଥାପୁଡ଼ାଉ ଥିବାର ଫଟୋ ସେୟାର୍‌ କରିବା ସହ ଟୁଇଟ୍‌ କରି ଓବାମା ଲେଖିଛନ୍ତି, ଆଜି ଆମ ପରିବାର ଜଣେ ପ୍ରକୃତ ବନ୍ଧୁ ଓ ବିଶ୍ବସ୍ତ ସହଚର ହରାଇଲା।

Image Courtesy of Twitter

ଏକ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ଧରି ବୋ ଥିଲା ଆମ ଜୀବନର ଚିର-ଆନନ୍ଦ ପ୍ରଦାୟକ। ଆମ ସୁଦିନରେ, ଆମ ଦୁର୍ଦ୍ଦିନରେ ଏବଂ ତା’ ମଧ୍ୟରେ ପଡୁଥିବା ଅନ୍ୟ ସବୁ ଦିନମାନଙ୍କରେ ଆମକୁ ଦେଖି ସେ ଖୁସି ହେଉଥିଲା।

ପୂର୍ବତନ ଫାଷ୍ଟ୍‌ଲେଡି ମିସେଲ୍‌ ଓବାମା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି, ଗୋଟାଏ ପରିବାର ହିସାବରେ ଆମ ‘ବୋ’କୁ ଝୁରି ହେବୁ। କିନ୍ତୁ, ସେ ଖେଳ ବେଳେ ବଲ୍‌ ଗୋଟାଇ ଆଣିବା, ସନ୍ଧ୍ୟାବେଳେ କାଉଚ୍‌ରେ ଶୋଇବା ଭଳି ଉଷ୍ମତାଭରା ଆନନ୍ଦମୟ ଜୀବନ ବିତାଇ ଥିବାରୁ ଆମେ ଧନ୍ୟ।

ସମ୍ବନ୍ଧିତ ଖବର