ଘର ବାହାରେ ଲାଗିଥିବା ବ୍ୟାରିକେଡ ଡେଇଁ ହାୱଡା ଯାଉଥିବା ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ଗିରଫ

ହାୱଡା: ପ୍ରଫେଟ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଘନେଇବାରେ ଲାଗିଛି ବିବାଦ। ନୂପୁର ଶର୍ମା ଦେଇଥିବା ବିବୃତିକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଏହି ସମୟରେ ପ୍ରୟାଗରାଜରୁ ହାୱଡା ଏବଂ ରାଞ୍ଚି ପର୍ଯ୍ୟନ୍ତ ହିଂସା ବ୍ୟାପିଛି। ଏହି ଘଟଣାକୁ ନେଇ ଅଭିଯୁକ୍ତଙ୍କୁ ଚିହ୍ନଟ ଏବଂ ଗିରଫ କରିବାରେ ଲାଗିଛି ପୁଲିସ। ଏବେ ଘର ବାହାରେ ଲାଗିଥିବା ବ୍ୟାରିକେଡ ଡେଇଁ ହାୱଡା ଯାଉଥିବା ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ। ହାୱଡାରେ ହିଂସା ହୋଇଥିବା ସ୍ଥାନକୁ ସୁକାନ୍ତ ମଜୁମଦାର ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ହାୱଡାର ପଞ୍ଚଲା ସହରରେ ହୋଇଥିବା ହିଂସା ପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଇ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ନକରିବାକୁ ମଜୁମଦାରଙ୍କୁ କହିଥିଲା ପୁଲିସ। ହେଲେ ସେ ପୁଲିସର ନିର୍ଦ୍ଦେଶ ନମାନିବାରୁ ଏବେ ତାଙ୍କୁ ଗିରଫ କରାଯାଇଛି।

ଅନ୍ୟପକ୍ଷରେ, ୟୁପିର ସହାରନପୁରରେ ମଧ୍ୟ ନୂପୁର ଶର୍ମା ଦେଇଥିବା ବିବୃତିକୁ ନେଇ ହିଂସା ହୋଇଥିବା ବେଳେ ପୁଲିସ ଏପର୍ଯ୍ୟନ୍ତ ୫୪ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ କରିସାରିଛି। ବିନା ଅନୁମତିରେ ପ୍ରଦର୍ଶନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସହାରନପୁରର ବରିଷ୍ଠ ପୁଲିସ ଅଧୀକ୍ଷକ କହିଛନ୍ତି। ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଧରାପଡିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସମସ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ମଧ୍ୟ ଲାଗୁ କରାଯିବବୋଲି କୁହାଯାଇଛି। ଏହା ସହ ୫୪ଜଣଙ୍କୁ ଗିରଫ କରାଯିବା ପରେ ଏପର୍ଯ୍ୟନ୍ତ ମୋଟ ୨୩୫ଜଣଙ୍କୁ ଗିରଫ କରାଯାଇସାରିଛି।

ସମ୍ବନ୍ଧିତ ଖବର