ନରେନ୍ଦ୍ର ମୋଦିଙ୍କ ହାତ ଓ ଗଳା କାଟିବା ପାଇଁ ଅନେକ ଲୋକ ପ୍ରସ୍ତୁତ ଅଛନ୍ତି: ରାବ୍ରୀ ଦେବୀ

ପାଟନା: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେବା ସହିତ ଆପତ୍ତିଜନକ ବୟାନ ଦେଇଛନ୍ତି। ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଳା ଓ ହାତ  କାଟିବା ପାଇଁ ଅନେକ ଲୋକ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି।

ସୋମବାର ବିହାରର ବିଜେପି ମୁଖ୍ୟ ତଥା ଲୋକସଭାର ସାଂସଦ ନିତ୍ୟାନନ୍ଦ ରାୟଙ୍କ ବିସ୍ଫୋରକ ବୟାନ ପରେ ରାବ୍ରୀ ଦେବୀ ଉତକ୍ଷିପ୍ତ ହୋଇ ଏପରି ବୟାନ ଦେଇଛନ୍ତି। ନିତ୍ୟାନନ୍ଦ କହିଥିଲେ, ‘ଦେଶର ନେତୃତ୍ୱ ନେବା ପାଇଁ ମୋଦି ବହୁ କଠିନତାକୁ ସାମ୍ନା କରିଛନ୍ତି। ଯଦି କୌଣସି ହାତ କିମ୍ବା ଆଙ୍ଗୁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡ଼େ ଉଠୁଛି ତେବେ ତାହାକୁ ଭାଙ୍ଗି ଦିଆଯିବା କିମ୍ବା କାଟି ଦିଆଯିବା ଉଚିତ।’ ନିତ୍ୟାନନ୍ଦଙ୍କ ଏହି ବୟାନ ପରେ ବିବାଦ ସୃଷ୍ଟି ହୋଇଥିଲା।

ନିତ୍ୟାନନ୍ଦଙ୍କ ଏହି ବୟାନର ଉତ୍ତର ଦେବାକୁ ଯାଇ ରାବ୍ରୀ ଦେବୀ କହିଛନ୍ତି, ‘କାହାର ହାତ ଓ ଆଙ୍ଗୁଳି କାଟିବ କାଟି ଦେଖାଅ, ଏପରି କରିବା ଦ୍ୱାରା କ’ଣ ଦେଶର ଲୋକେ ଓ ବିହାର ଲୋକେ ଚୁପ୍‌ ହୋଇ ବସିବେ ବୋଲି ଭାବୁଛନ୍ତି କି? ବିହାରରେ ମୋଦିଙ୍କ ହାତ ଓ ଗଳା କାଟିବା ପାଇଁ ଅନେକ ଲୋକ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ଜାଣି ରଖନ୍ତୁ।’

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଙ୍କୁ ବି ରାବ୍ରୀ ଦେବୀ ଖୋଲାଖୋଲି ଚେତାବନୀ ଦେଇ କହିଛନ୍ତି, ଯଦି ଏ ସମ୍ପର୍କରେ ଯାଞ୍ଚ ଏଜେନ୍ସି ପଚରାଉଚରା କରିବାକୁ ଚାହୁଁଛନ୍ତି, ତେବେ ଆମ ଘର ପାଟନାକୁ ଆସି ଯାହା ପଚାରିବା କଥା ପଚାରନ୍ତୁ । ମୁଁ ସିବିଆଇ, ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମସ୍ତଙ୍କ ଚରିତ୍ର ସମ୍ପର୍କରେ ଜାଣିଛି। ତୁମମାନଙ୍କୁ ନୋଟିସ୍‌ ପଠାଇବାର ଅଛି ପଠାଇ ଚାଲ। ମୁଁ ଯଦି କିଛି ଭୁଲ କରିଛି ତେବେ କେନ୍ଦ୍ର ଓ ରାଜ୍ୟ ସରକାର ମୋତେ ତାହାର ଉତ୍ତର ଦିଅନ୍ତୁ। ’

ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେନାମୀ ମାମଲାରେ ରାବ୍ରୀ ଦେବୀଙ୍କୁ ପଚରାଉଚରା କରିବାକୁ ଚାହୁଁଛି। ଇଡି ତରଫରୁ ଅନେକଥର ରାବିଡିଙ୍କ ପାଖକୁ ସମନ ପଠାଯାଇଛି, କିନ୍ତୁ ସେ ଏହାର ଜାବାବ ଦେବା ପାଇଁ ଏଯାବତ୍‌ ଉପସ୍ଥିତ ହୋଇ ନାହାନ୍ତି।

ଅନ୍ୟପକ୍ଷରେ ହାତ ଓ ଆଙ୍ଗୁଠି କାଟିବା ନେଇ ରାୟ ଦେଇଥିବା ବୟାନ ସଂପର୍କରେ ନିତ୍ୟାନନ୍ଦ ସଫେଇ ଦେଇ କହିଥିଲେ, ‘କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଦଳଙ୍କୁ ମୁଁ ଇଙ୍ଗିତ କରିନାହିଁ। ଯିଏ ଦେଶର ଗର୍ବ ଏବଂ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବେ ସେମାନଙ୍କ ସହ ଏପରି ଆଚରଣ ପ୍ରଦର୍ଶନ ଜରୁରୀ। ମୋ କଥାକୁ କଦର୍ଥ କରାଯାଇଛି। ଯଦି ମୋ ମନ୍ତବ୍ୟରେ କେହି ଦୁଃଖି ହୋଇଛନ୍ତିି ମୋ କ୍ଷମା ଚାହୁଁଛି। ମୁଁ ମୋ କଥାକୁ ଫେରାଇ ମଧ୍ୟ ନେଉଛି।’ ଉଲ୍ଲେଖଯୋଗ୍ୟ, ନିତ୍ୟାନନ୍ଦ ରାୟଙ୍କୁ ୨୦୧୪ ମସିହାରେ ଉଜିୟରପୁରରୁ ଲୋକସଭା ଟିକେଟ ମିଳିଥିଲା।

ସମ୍ବନ୍ଧିତ ଖବର