ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦାବି କଲେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର

ନୂଆଦିଲ୍ଲୀ: ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ରାଜ୍ୟସଭାରେ ଶୂନ୍ୟକାଳରେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ଉଠାଇଛନ୍ତି। ଶୂନ୍ୟକାଳରେ ନେତୃତ୍ୱ ଭୂମିକାରେ ମହିଳାଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ଏବଂ ଲିଙ୍ଗଗତ ସମାନତାକୁ ସୁନିଶ୍ଚିତ କରୁଥିବା ଆଇନ ପ୍ରସଙ୍ଗରେ ସେ ବକ୍ତବ୍ୟ ରଖିଛନ୍ତି।

ଡକ୍ଟର ପାତ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ‘ଯେଉଁ ମାନବ ଚାଲାଣ (ନିରାକରଣ, ସୁରକ୍ଷା ଏବଂ ପୁନର୍ବାସ) ବିଲ୍ ୨୦୧୮ରେ ଲୋକସଭାରେ ପାରିତ ହୋଇଥିଲା, କିନ୍ତୁ ପୂର୍ବ ଲୋକସଭା ଭଙ୍ଗ ହେବା ପରେ ତାହା ପାରିତ ହୋଇପାରି ନ ଥିଲା। ମହିଳାମାନଙ୍କ ପାଇଁ ମାନବ ଚାଲାଣ ବିରୋଧୀ ପଦକ୍ଷେପକୁ ଶକ୍ତ କରାଯାଉ ଏବଂ ଏହି ନିୟମ ସେମାନଙ୍କ ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି। ନେତୃତ୍ୱ ଭୂମିକାରେ ମହିଳାମାନଙ୍କର ଅଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଡକ୍ଟର ପାତ୍ର ଅନୁରୋଧ କରି କହିଛନ୍ତି ଯେ ସରକାର ମହିଳା ସଂରକ୍ଷଣ ବିଲ୍ ପାସ୍ କରନ୍ତୁ, ଯେଉଁଥିରେ ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରାଯାଇଥିବ।

ସେ ଆଶା ପ୍ରକାଶ କରିଛନ୍ତି ଯେ ଯଦି ସରକାର ଏହି ଦୁଇଟି ଆଇନ ପ୍ରଣୟନ କରିବାକୁ ବିଚାର କରନ୍ତି, ତେବେ ନେତୃତ୍ୱ ଭୂମିକାରେ ମହିଳାଙ୍କ ଅଂଶଗ୍ରହଣ ଅଧିକାରକୁ ସୁନିଶ୍ଚିତ କରିବା ସହିତ ଲିଙ୍ଗଗତ ସମାନତା ଆଣିବାରେ ଅଧିକ ସହାୟକ ହେବ।

 

ସମ୍ବନ୍ଧିତ ଖବର